ଭୁବନେଶ୍ୱର,୨୮ ମଇ (ହି.ସ.)- ଲୋକସେବା ଭବନସ୍ଥିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଂଚା ପ୍ରସ୍ତୁତିର ସମୀକ୍ଷା କରିବା ସହ ମହିଳା ଆୟୋଗର ନ୍ୟୁଜ୍ ଲେଟରର ଉନ୍ମୋଚନ କରିଛନ୍ତି। ଯେପରି ଗ୍ରାମାଂଚଳର ଲୋକମାନେ ୱେବସାଇଟକୁ ସହଜରେ ବ୍ୟବହାର କରିପାରିବେ ସେହିପରି ଭାବେ ୱେବସାଇଟକୁ ସରଳ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁତ୍ୱ ଦେଇଛନ୍ତି । ଏହାସହ ସୁଭଦ୍ରା ସମବେଦନା ଯୋଜନାର ରୂପରେଖ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଶ୍ରୀମତୀ ପରିଡା ସମୀକ୍ଷା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆତ୍ମରକ୍ଷା କୋଶଳ, ମାନସିକ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ବ୍ୟାପକ ଜନସଚେତନତା ଉପରେ ଶ୍ରୀମତୀ ପରିଡା ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ନିର୍ଭୟା ପାଣ୍ଠିକୁ ବ୍ୟବହାର କରି ମହିଳା ହିଂସା ରୋକିବା ଉପରେ ସେ ଆଲୋକପାତ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସ୍ମାର୍ଟ ତାଲିମ ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା । ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ କାର୍ଯ୍ୟ କରିବା ନିମନ୍ତେ ତାଲିମ ଦେଇ ସ୍ମାର୍ଟ ଅଙ୍ଗନବାଡି କର୍ମୀ ସୃଷ୍ଟି କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ସମାଜ କଲ୍ୟାଣ ବୋର୍ଡରେ ଏନଜିଓ ମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ଆପ୍ଲିକେସନ ଢାଞ୍ଚା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା