ଜୟପୁର, ୨୯ ମଇ (ହି.ସ.)- କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଅଛନ୍ତି । ଏନେଇ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୋଟପାଡ ବିଧାୟକଙ୍କ ପ୍ରତିନିଧି ରାମକୃଷ୍ଣ ଭତ୍ରାଙ୍କ ପୁଅ ରାଜେନ୍ଦ୍ର ଭତ୍ରା ନାମରେ ପୋଲିସ ମାମଲା ରୁଜୁ କରିଛି । ପରେ ଅଭିଯୁକ୍ତ ଜଣକ ନାବାଳିକା ଓ ମାକୁ ଧମକ ଦେଇ ଗର୍ଭପାତ କରିବାକୁ ବାଧ୍ୟ କରିଥିବାରୁ ମା ଓ ପୀଡିତା ଜୟପୁରରେ ଆଜି ଲୁଚିକି ଥିବା ଜଣାଯାଇଛି । ଏନେଇ ବିଜେଡିର ରାଜ୍ୟ ମହିଳା ପ୍ରତିନିଧି ଦଳ ଆଜି ଆସି ଜୟପୁରରେ ପୀଡିତାଙ୍କ ସହ ସାକ୍ଷାତ କରିଛନ୍ତି । ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃ୍ତରେ ଟିମ ସାକ୍ଷାତ କରି ପୀଡିତାଙ୍କ ସହ ଆଲୋଚନା କରିଛି । ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟିକ ଛୁରିଆ କହିଛନ୍ତି, ବିଧାୟକ ପ୍ରତିନିଧିଙ୍କ ପୁଅ ଜଣେ ବିବାହିତା ହୋଇ ମଧ୍ୟ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ବର୍ଷ ହେବ ଦୁଷ୍କର୍ମ କରି ଗର୍ଭବତି କରିଛି । ଥଣ୍ଡା କୋଲଡ୍ରିଙ୍ଗରେ ନିଶା ପିଆଇ ବାପା ଛେଉଣ୍ଡ ୧୬ ବର୍ଷିୟା ଆଦିବାସୀ ନାବାଳିକାକୁ ବଳାତ୍କାର କରିଛି । ଏମତିକି ପୋଲିସ ନିକଟରେ ମାମଲା ରୁଜୁ ହୋଇଥିଲେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ । ଏମିତିକି ଅଭିଯୁକ୍ତ ଜଣକ ଧମକ ଦେଉଥିବାରୁ ଭୟଭିତ ହୋଇ ପୀଡିତା ଓ ତାଙ୍କ ମା ଜୟପୁରରେ ଆଶ୍ରୟ ନେଇଛନ୍ତି । ଏମିତିକି କୋରାପୁଟ ଜିଲା ଲମତାପୁଟ, ଲକ୍ଷ୍ମୀପୁର ଭଳି ୫ଟି ଘଟଣା ଘଟିଲାଣି, କିନ୍ତୁ ରାଜ୍ୟ ସରକାର ନିରିବ ହୋଇ କହିଛନ୍ତି । କାରଣ ସମସ୍ତ ମାମଲାରେ ବିଜେପିର କର୍ମି ମାନେ ଜଡିତ ଥିବାରୁ ସରକାର କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଛନ୍ତି । ତେଣୁ ତୁରନ୍ତ ସରକାର ଅଭିଯୁକ୍ତକୁ ଗିରଫ କରନ୍ତୁ ବୋଲି ଦାବି କରିଛି ଦଳ ।
ଆଜି ଏହି ଟିମରେ କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲା ମହିଳା ସଭାନେତ୍ରୀ ପାବତି ମସ୍ତି, ପୂର୍ବତନ କୋଟପାଡ ବିଧାୟିକା ପଦ୍ମିନି ଦିଆନ, ଜୟପୁର ପୌର ଅଧ୍ୟକ୍ଷା ବି. ସୁନିତା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ଜିଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଝିନ ହିକକା, ବିଜେଡି ନେତା ସୂର୍ଯ୍ୟ ନାରାୟଣ ରଥ, ଦୁର୍ଗା ମିଶ୍ର, କୁନି ଅଧିକାରି, ବାଲିଙ୍କି ରାଓ, ବୈଦନାଥ ନାୟକ ଉପସ୍ଥିତ ଥିଲେ । ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ଆଡ୍ଡାସ୍ଥଳି ହୋଇଛି ଭାରତୀୟ ଜନତା ପାର୍ଟି ଓଡିଶା ବୋଲି ଟିମ ଅଭିଯୋଗ କରିଛି । ତୁରନ୍ତ ଅପରାଧିକୁ ଗିରଫ କରିବା ପାଇଁ ବିଜେଡି, ମହିଳା ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସଭାନେତ୍ରୀ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି