ସାଲେପୁର, ୨୯ ମଇ (ହି.ସ.)- ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଂଚାୟତ ମନାନଗଡା ନିକଟ ଏକ ଭଡା ଘରେ ଗତକାଲି ବିଳମ୍ବିତ ରାତିରେ ବୋମା ଭିଡୁଥିବା ସମୟରେ ବୋମା ଫୁଟି ବୋମା ଭିଡୁଥିବା ବ୍ୟକ୍ତି ମୃତ୍ୟୁବରଣ କରିଥିବା ସହ ୧୦ ରୁ ଉର୍ଦ୍ଧ୍ୱ ଅଫୁଟା ବୋମାକୁ ନେମାଳ ଥାନା ପୋଲିସ ଜବତ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତ୍ର ପ୍ରାୟ ୧ଟା ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହେବାର ଗ୍ରାମବାସୀମାନେ ଶୁଣି ଭୟଭୀତ ହୋଇଯାଇଥିଲେ । ବୋମା ଫୁଟିବା ସ୍ଥାନଠାରୁ ବସ୍ତି ପ୍ରାୟ ୧୦୦ ମିଟର ଦୂର ହୋଇଥିଲା ବେଳେ କିଛି ସମୟ ପରେ ସେମାନେ ଶୋଇଯାଇଥିଲେ । ସକାଳୁ ଉଠି ପୂର୍ବ ଦିନ ପରି ନିକଟସ୍ଥ ଦୋକାନକୁ ଚାହା ପିଇବା ପାଇଁ ଆସି ଦେଖନ୍ତି ତ ଘରଟିର ଅଧେ କାନ୍ଥ ଭାଙ୍ଗିରୁଜି ଯାଇଥିବା ସହ ଘରେ ଲାଗିଥିବା ସଟର ପ୍ରାୟ ୫୦ ଫୁଟ ଦୂରରେ ପଡିଛି । ମିର୍ଜା ଆକବର ବେଗ୍ ରକ୍ତାକ୍ତ ଅବସ୍ଥାରେ ଅନତି ଦୂରରେ ଛିଟିକି ପଡିଛି । ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅବିଳମ୍ବେ ସେଠାରେ ପହଞ୍ଚି ମିର୍ଜା ଆକବର ବେଗ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ହେଁ ତାହାର ମୃତ୍ୟୁ ହୋଇଥିବା ଜଣାପଡିଛି । ତତ୍ପରେ ଏହି ଖବର ବିଜୁଳି ବେଗରେ ଖେଳିଯିବା ପରେ ସମଗ୍ର ଅଂଚଳରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ନେମାଳ ଥାନା ଅଧିକାରୀ ସୁଶୀଲ ନାୟକ, ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଦେଖିଲେ ଘଟଣାସ୍ଥଳରେ ଆହୁରି ଅଫୁଟା ବୋମା ପଡିରହିଛି । ବୋମାକୁ ଦେଖି ଅନୁସନ୍ଧାନକାରୀ ଦଳ ଏହା ଟିଫିନ୍ ବୋମା ବୋଲି କହିବା ସହ ଏହି ବୋମା ଚାରୋଟି ଫୁଟିଲେ ଆଖପାଖ ଗ୍ରାମରେ ବହୁତ କ୍ଷତି ହେବ ବୋଲି କହିଛନ୍ତି । ବୋମାଗୁଡିକୁ ନଷ୍ଟ କରାଯିବା ପାଇଁ ବ୍ୟବସ୍ଥା ହେବା ସହ ପୋଲିସ ପକ୍ଷରୁ ସନ୍ଦେହରେ ଘର ମାଲିକଙ୍କ ପୁଅ ଓ ଆଉ ତିନି ଜଣକୁ ଅଟକ ରଖି ପଚରା ଉଚରା କରାଯାଉଛି । ତଦନ୍ତରେ ବାଧା ଉପୁଜିବା ଲକ୍ଷ୍ୟ ରଖି ପୋଲିସ ସେମାନଙ୍କ ନାଁ ଗୋପନ ରଖିବା ସହ ଖବର ଲେଖା ହେଲା ବେଳକୁ ଆଉ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଜଣାପଡିଛି । ତେବେ ପ୍ରଶ୍ନ ଉଠେ ବୋମା ଭିଡୁଥିବା ଦଳ ଏଭଳି ଏକ ରାସ୍ତା କଡରେ ବୋମା କାହିଁକି ଭିଡୁଥିଲେ । ନେମାଳ ଥାନା ଓ ନରେନ୍ଦ୍ରପୁର ଫାଣ୍ଡିର ମଧ୍ୟସ୍ଥଳରେ ଥିବା ଏହି ସ୍ଥାନ ପୋଲିସର ନଜର ଆଢୁଆଳରେ କିପରି ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ନେମାଳ ଅଂଚଳରେ ଚୋରା ମଦ ବ୍ୟବସାୟୀଙ୍କ ଆଡ୍ଡା ସାଙ୍ଗକୁ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣ ଓ ବାଙ୍ଗଲାଦେଶୀଙ୍କ ଅବାଧ ପ୍ରବେଶ ସହିତ ବୋମା ଫୁଟିଥିବା ସ୍ଥାନରେ ନିକଟରେ ବହୁ ଫେରିବାଲା ଆସି ରହି ଫେରି କରୁଥିବାର ଦୃଷ୍ଟି ଗୋଚର ହୋଇଛି । ଏସବୁର ସମସ୍ତ ଗୁମର ଖୋଲିବାକୁ ହେଲେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହି ସ୍ଥାନଟି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଠାରୁ ଅଳ୍ପଦୂର ହୋଇଥିଲା ବେଳେ ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କର ସ୍ୱନକ୍ଷତ୍ର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ମାତ୍ର କେଇଟା ଦିନ ପୂର୍ବରୁ ଏଠାରେ ବୋମା ଫୁଟିବା ଖବର ପ୍ରଚାର ହେବା ଦ୍ୱାରା ଭକ୍ତଙ୍କ ମହଲରେ ଆତଙ୍କ ଦେଖାଦେଇଛି ।
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍