କେନ୍ଦୁଝର, ୨୯ ମଇ(ହି.ସ.) - ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିକାଶ ମେଳା ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଗୁଡିକ ପ୍ରଦର୍ଶିତ କରାଯିବ।
ଏହି ପରିପ୍ରେକ୍ଷୀରେ କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ଼ିଏସ ଶୁଭଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ଆସନ୍ତା ଜୁନ ମାସ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ସ୍ଥିତ କାଳୀ ପଡିଆଠାରେ ଏହି ମେଳା ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଥିଲା। ପରବର୍ତୀ ସମୟରେ ମେଳାରେ ଯୋଗ ଦେବାକୁ ଥିବା ଅତିଥି ମାନଙ୍କ ତାଲିକା ପ୍ରସ୍ତୁତ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଷ୍ଟଲ ଆବଂଟନ, ସରକାରୀ ଯୋଜନା ଗୁଡିକର ବ୍ୟାପକ ପ୍ରଚାର ପ୍ରସାର, ଜନସାଧାରଣଙ୍କ ସୁବିଧା ଲାଗି ବ୍ୟବସ୍ଥା ସମେତ ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା।
ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ୱପନ କୁମାର ଗୋସ୍ୱାମୀ ଏହି ବୈଠକକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି