କେନ୍ଦୁଝର, ୨୯ ମଇ (ହି.ସ.) - ଚଳିତ ମାସ ୨୯ତାରିଖ ରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ର ଶୁଭାରମ୍ଭ ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମ ଠାରେ ହୋଇଅଛି। ଅଭିଯାନ ପ୍ରାରମ୍ଭ ରେ କେନ୍ଦୁଝର ଜିଲ୍ଲା ର ସାଂସଦ ଅନନ୍ତ ନାୟକ, କୃଷିରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ତତ୍ପରେ ଉକ୍ତ ଅଭିଯାନ ଅନ୍ତର୍ଗତ କୃଷକ- ବୈଜ୍ଞାନିକ ଆଲୋଚନାଚକ୍ରକୁ ସାଂସଦ ଉଦଘାଟନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁକାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲାବେଳେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ସ୍ଥିତ ସିଫାର ବୈଜ୍ଞାନିକ ଡାଃ ନନ୍ଦୀ, ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା, ଅଶୋକ ସେନାପତି; ଉପଉଦ୍ୟାନ କୃଷି ନିର୍ଦେଶକ , ସୌମେନ୍ଦ୍ର ପାଣିଗ୍ରାହୀ; ଆରଆରଟିଟିଏସର ମୁଖ୍ୟ କିଶୋର କୁମାର ସାହୁ ପ୍ରମୁଖ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ସଂପ୍ରସାରଣ କର୍ମୀ ଓ ବୈଜ୍ଞାନିକ ମାନଙ୍କ ପରାମର୍ଶ ନେଇ ଚାଷ କଲେ କୃଷିର ବିକାଶ ସମ୍ଭବ ବୋଲି ମତ ରଖିଥିଲେ । ସାଂସଦ ଶ୍ରୀ ନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରବର୍ତିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୋଜନା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ନେଇ ବୈଜ୍ଞାନିକ ଓ ସଂପ୍ରସାରଣ କର୍ମୀଙ୍କ ପରାମର୍ଶ କ୍ରମେ ଚାଷ କଲେ କୃଷି ଓ କୃଷକର ଉନ୍ନତି ସମ୍ଭବ ଏବଂ ବେକାର ଯୁବକ ଯୁବତୀ ମାନେ ଉନ୍ନତ ଜ୍ଞାନ କୌଶଳ ଆପଣେଇ ଚାଷ କଲେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଫକୋ ସାର କମ୍ପାନି ଦ୍ୱାରା ଡ୍ରୋନ ମାଧ୍ୟମରେ ଫସଲରେ କୀଟନାଶକ ସିଂଚନ ପ୍ରଣାଳୀର ପ୍ରଦର୍ଶନ କରାଯାଇଥିଲା । ସହକାରୀ କୃଷି ଅଧିକାରିଣୀ ଲକ୍ଷ୍ମୀଦେବୀ ଶର୍ମା, ବ୍ଲକ କୃଷି ଅଧିକାରୀ ସୁଶାନ୍ତ ପଣ୍ଡା , କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନିଗମାନନ୍ଦ ବେହେରା, ସିୱାର ବୈଜ୍ଞାନିକ ନିତେଶ କୁମାର, କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜୟୀ ମିଶ୍ର ପ୍ରମୁଖ ଅଭିଯାନ ପରିଚାଳନା କରିଥିଲେ । ଉକ୍ତ ଅଭିଯାନରେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ , ସ୍ୱୟଂ ସହାୟକ ଗୋଷ୍ଠୀ, ଜନପ୍ରତିନିଧି ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି