ପୁରୀ, ୨୯ ମଇ (ହି.ସ.)- ପେଣ୍ଠକଟା ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଗୁରୁବାର ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ନିଶା ଖାଇବା ପାଇଁ ପୁଅ ମାଆକୁ ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ପୁଅ ଉତ୍ଯକ୍ତ ହୋଇ ଘରେ ଥିବା ଫାଉଡାରେ ମାଆର ମୁଣ୍ଡକୁ ଚୋଟ ପକାଇଥିଲା । ମାଆର ରଡି ଶୁଣି ପାଖ ପଡୋଶୀ ମାନେ ପହଞ୍ଚି ପୁଅକୁ କାବୁ କରିଥିଲେ । ମୃତକ ମାଆ ହେଲେ ୫୫ ବର୍ଷୀୟ କନକ ପ୍ରଧାନ । ଅଭିଯୁକ୍ତ ପୁଅ ୩୦ ବର୍ଷୀୟ ପିଙ୍କୁ ପ୍ରଧାନଙ୍କୁ ପେଣ୍ଠକଟା ପୋଲିସ ଗିରଫ କରିଛି । ନିର୍ଦ୍ଦିଷ୍ଟ ସମୟରେ ନିଶା ଖାଇବାକୁ ପିଙ୍କୁ ସବୁବେଳେ ମାଆଙ୍କୁ ଟଙ୍କା ମାଗିଥାଏ । ଆଜି ମଧ୍ୟ ପୂର୍ବ ପରି ଟଙ୍କା ମାଆଙ୍କୁ ମାଗିଥିଲା । ମାଆ ନଦେବାରୁ ଏଭଳି କାଣ୍ଡ ଭିଆଇଛି ପୁଅ । ଘଟଣାସ୍ଥଳରେ ପହଞ୍ଚିଥିବା ଲୋକ ମାନଙ୍କୁ ମଧ୍ୟ ଫାଉଡା ବୁଲାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଏଥିରେ କିଛି ଲୋକମାନେ ଆହତ ହୋଇଛନ୍ତି । ପେଣ୍ଠକଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ଏହି ଘଟଣା ଗ୍ରାମରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଗ୍ରାମର ବିଭିନ୍ନ ଦୋକାନରେ ନିଶା କାରବାର ଓ ବିଭିନ୍ନ ଖଟିରେ ନିଶା ସେବନ ଯୋଗୁ ଅଧିକାଂଶ ଯୁବକ ପଥଭ୍ରଷ୍ଟ ହେଉଛନ୍ତି । ନିଶା କାରବାର ଓ ସେବନ ରୋକିବାରେ ସ୍ଥାନୀୟ ପୋଲିସ ଓ ଅବକାରୀ ପୋଲିସ ବିଫଳ ହେଉଥିବା ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ