ଜୟପୁର, ୧ ଜୁନ୍ (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଧନପୁର ଗ୍ରାମପଂଚାୟତର ବଡକାଉଡି ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଂଟର ଦୁଇଟି ସେମିଫାଇନାଲ ମ୍ୟାଚରେ ଧନପୁର ଦଳ ଓ ଦାମାପୁଟ ଦଳ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଧନପୁର କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ପ୍ରଥମ ସେମିଫାଇନାଲ ମ୍ୟାଚ ଧନପୁର ଓ ସତ୍ୟ-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଧନପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିବା ବେଳେ ସତ୍ୟ -୧୧ଦଳ ୧୦.୧ ଓଭରରେ ୩୧ ରନ ସଂଗ୍ରହ କରି ଅଲ ଆଉଟ ହୋଇଯାଇଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଦାମାପୁଟ ଓ ଡଙ୍ଗରଛିଂଚ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦାମାପୁଟ୍ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୬ଟି ୱିକେଟ ହରାଇ ୧୨୦ ରନ ସପ୍ସଗ୍ରହ କରିଥିଲେ। ୧୨୧ ରନର ଜବାବରେ ଡଙ୍ଗରଛିଂଚ ଦଳ ୭ ୱିକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲେ। ଯାହା ଫଳରେ ଦାମାପୁଟ ଦଳ ୧୨ ରନରେ ବିଜୟଲାଭ କରି ଫାଇନାଲରେ ପ୍ରବେଶ କରିଥିଲେ। ଆଜିର ଏହି ସେମିଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁନିଲ ପାଣିଗ୍ରାହୀ, ଧନପୁର ଗ୍ରାମପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଶ୍ରୀ ନାୟକ, ସରପଂଚ ବଳଭଦ୍ର ଗାଦବା ଯୋଗ ଦେଇଥିଲେ। ଏମ୍ପୟାର ଭାବେ ଟିସୁ ମିଶ୍ରଓ ରାମଚନ୍ଦ୍ର ପାଙ୍ଗି ଉପସ୍ଥିତ ରହିଥିଲେ। ଏହି ଟୁର୍ଣ୍ଣାମେଂଟକୁ ହରିଶ ଭୁମିଆ, କାଳିଆ ନାୟକ, ରାଜେଶ ପାଙ୍ଗି, ଧନପତି ମାଝି, ରମେଶ ବାରିକ, ସୁନିଲ ନାୟକ ପରିଚାଳନା କରିଥିଲେ। ଆସନ୍ତା ୪ ତାରିଖରେ ଦାମାପୁଟ ଓ ଧନପୁର ମଧ୍ୟରେ ଖେଳାଯିବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି