ବିଜେପି ସରକାରଙ୍କ ବର୍ଷପୂର୍ତି ଦୁର୍ନୀତିରେ ଭର୍ତି - କଂଗ୍ରେସ
ଅସ୍ମିତା ନୁହେଁ ଆସ୍ଫାଳନ : ଭକ୍ତ ଦାସ ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି, ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତି ପାଳନ କରୁଛନ୍ତି । ପ୍ରତ
ବିଜେପି ସରକାରଙ୍କ ବର୍ଷପୂର୍ତି ଦୁର୍ନୀତିରେ ଭର୍ତି - କଂଗ୍ରେସ


ଅସ୍ମିତା ନୁହେଁ ଆସ୍ଫାଳନ : ଭକ୍ତ ଦାସ

ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି, ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତି ପାଳନ କରୁଛନ୍ତି । ପ୍ରତିଶ୍ରୁତି ନାଁ ରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି । ସମନ୍ୱୟ ଅଭାବ ଓ ଅହମିକା ଶାସନ ବ୍ୟବସ୍ଥାକୁ ଦିଗହରା କରିଛି । ପ୍ରଚାର ସର୍ବସ୍ୱ ଢ଼ଙ୍ଗରେ ବିଜେପି ସରକାର ବର୍ଷପୂର୍ତି ପାଳନ କରୁଥିବା ବେଳେ ତଳରୁ ଉପରସ୍ତର ଯାଏ ଦୁର୍ନୀତି ଭରି ରହିଛି । ଲୋକଙ୍କ କୋଟି କୋଟି ଟଙ୍କାରେ ଏକ ବର୍ଷର ପୂର୍ତ୍ତିପାଳନ ଉତ୍ସବ ଏକ ପ୍ରହତ୍ସନ । ଅସ୍ମିତା ନାଁ ରେ ଆସ୍ଫାଳନ ଦେଖାଇ ଶାସନ ଗାଦିରେ ବସିଥିବା ମୋହନ ସରକାର ରାଜ୍ୟ ବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି । ବିଜେପିର ପ୍ରତିଶ୍ରୁତିର ପ୍ରତାରଣାକୁ ପଦାରେ ପକାଇବା ପାଇଁ “ବର୍ଷ-୧, ପ୍ରତାରଣା ଅନେକ” ସମ୍ପର୍କରେ ରାଜ୍ୟରେ ପ୍ରମୁଖ ସହରରେ ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲିବେ ବୋଲି ଶ୍ରୀ ଦାସ କହିଛନ୍ତି ।

କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ ବିଜେପି ସରକାରର ଛଳନାର ସ୍ୱରୂପ ସମ୍ପର୍କରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା-ବଲାଙ୍ଗୀର, ନିରଞ୍ଜନ ପଟ୍ଟନାୟକ-ଖୋର୍ଦ୍ଧା, ଜୟଦେବ ଜେନା-ପୁରୀ, ପ୍ରସାଦ ହରିଚନ୍ଦନ-ବ୍ରହ୍ମପୁର, ବାଲେଶ୍ୱର-ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ- ସମ୍ବଲପୁର, ଅନନ୍ତ ପ୍ରସାଦ ସେଠୀ- କେନ୍ଦ୍ରାପଡ଼ା, ସିଏସ ରାଜନ ଏକ୍କା- ରାୟଗଡ଼ା ଆଦି ପ୍ରମୁଖ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଛଳନା ଓ ପ୍ରତାରଣାପୂର୍ଣ୍ଣ ସ୍ୱରୂପର ମୁଖା ଖୋଲିବେ ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କିଭଳି ପ୍ରତାରଣାରେ ପରିଣତ ହୋଇଛି ତାହାର ସବିଶେଷ ରିପୋର୍ଟ କାର୍ଡ ପିସିସି ସଭାପତିଙ୍କୁ ପ୍ରଦାନ କରିଥିଲେ । ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହିଛି ତାହା ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ “ବର୍ଷ-୧, ପ୍ରତାରଣା ଅନେକ” । ରାଜ୍ୟରେ ଦୁର୍ନୀତି ସୀମା ଲଙ୍ଘନ କରିଛି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ହୋଇଛି କେବଳ ସେତିକି ନୁହେଁ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଜେଇ ଠାରୁ ମୁଖ୍ୟ ଯନ୍ତ୍ରୀ ପର୍ଯ୍ୟନ୍ତ ଜଣକ ପରେ ଜଣେ ଦୁର୍ନୀତିରେ ଛନ୍ଦି ହୋଇଥିବା ପ୍ରକାଶ ପାଇଛି । ମୋଦି ସରକାରଙ୍କ ସୁଆ ପାଲଟିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପନିର୍ଦ୍ଦେଶକ ଓଡ଼ିଶାରେ ଲାଞ୍ଚ ନେବାବେଳେ ସିବିଆଇ ଦ୍ୱାରା ବନ୍ଧା ହୋଇଛନ୍ତି । ଗତ ନବୀନ ସରକାର ସମୟରେ ଚିଟଫଣ୍ଡ ଜମାକାରୀମାନେ ଯେଉଁ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ୧୮ ମାସ ମଧ୍ୟରେ ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇଥିବା ମୋହନ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ଧାନର କଟଣୀ ଛଟଣୀ ବ୍ୟବସ୍ଥାରେ ଯେଉଁସବୁ ତ୍ରୁଟି ରହିଛି ମୋହନ ସରକାର ସେଥିପ୍ରତି ଦୃଷ୍ଟି ଦେଇନାହିଁ । ସୁଭଦ୍ରା ଯୋଜନା ନାଁରେ ମୋହନ ସରକାର ମହିଳାଙ୍କୁ ଭେଳିକି ଦେଖାଇ ପ୍ରତାରଣା କରିଛନ୍ତି । ବେକାରୀ, ଯୁବକ, ଛାତ୍ର ଓ ମହିଳାଙ୍କୁ ସରକାର ପ୍ରତାରଣା କରି ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ।

ଅତୀତର ବିଜେଡ଼ି ସରକାର ଓ ବର୍ତ୍ତମାନର ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ଭଳି କାମ କରୁଛନ୍ତି । ବିଜେଡ଼ି ବିରୋଧି ଦଳର ମାନ୍ୟତା ପାଇଥିଲେ ମଧ୍ୟ ବିଜେପିର ସହଯୋଗୀ ଭାବେ କାମ କରୁଛି । ୱାକଅଫ ବୋର୍ଡ ବିଲ ସମୟରେ ବିବେକାନୁ ମୋଦିତ ଭୋଟ ଦେବାକୁ ରାଜ୍ୟସଭା ସାଂସଦମାନଙ୍କୁ ବିଜେଡ଼ି କହିବା ପଛରେ ଅଘୋଷିତ ସମର୍ଥନ ରହିଥିଲା । ଯାଜପୁର ସମତେ ୫ଟି ଜିଲ୍ଲାରେ ଝାଡାବାନ୍ତି ଚରମସୀମାରେ ପହଂଚିଛି । ଚିକିତ୍ସା ଅବହେଳା ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟି ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପିସିସି କାର୍ଯ୍ୟାଳୟକୁ ପ୍ରଦା କରିବେ ବୋଲି ଶ୍ରୀ ଦାସ କହିଛନ୍ତି । ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମୋହନ ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଲା କିନ୍ତୁ ଅସ୍ମିତାର ସମ୍ମାନ ରଖିନାହଁ । କୃଷିର ୩ ହଜାର କୋଟି ଟଙ୍କ ବ୍ୟୟ କରି ଶୀତଳ ଭଣ୍ଡାର ଓ କୃଷି ବିଦ୍ୟାଳୟ ସ୍ଥାପନ କରିବେ ବୋଲି କହି ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଦରମା ବୃଦ୍ଧି କରିବେ ବୋଲି ନିରାଶ ଭିତରକୁ ଠେଲିଛନ୍ତି । ପେସା ଆଇନର ପ୍ରତିଶ୍ରୁତି ପାଳନ ହୋଇନାହିଁ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡ୍ରାପ୍ଟିଂ କମିଟି ସଦସ୍ୟ ଶ୍ରୀ ତାରା ପ୍ରସାଦ ବାହିନୀପତି, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରଜନୀ ମହାନ୍ତି, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande