ସେଲ୍‌ ପ୍ରବନ୍ଧକଙ୍କ ଘରେ ଚୋରି ଘଟଣା : ଜଣେ ନାବାଳକ ସହ ୨ ଗିରଫ
ଯୋଡ଼ା, ୧୬ ଜୁନ୍ (ହି.ସ.)- ଜିଲାର ସୀମାନ୍ତ ଖଣି ଅଞ୍ଚଳର ବଲାଣି ଥାନା କ୍ଷେତ୍ରର ଖଣି ଅଧିକାରୀଙ୍କ ଆବାସିକ କଲୋନୀରେ ଘଟିଥିବା ଚୋରିର ଫର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି ବଲାଣି ପୁଲିସ । ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ ଜଣେ ନାବାଳକ ସହ ୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟରେ ହାଜର କରିଛି ।
ଜବତ ଅଳଙ୍କାର


ଯୋଡ଼ା, ୧୬ ଜୁନ୍ (ହି.ସ.)- ଜିଲାର ସୀମାନ୍ତ ଖଣି ଅଞ୍ଚଳର ବଲାଣି ଥାନା କ୍ଷେତ୍ରର ଖଣି ଅଧିକାରୀଙ୍କ ଆବାସିକ କଲୋନୀରେ ଘଟିଥିବା ଚୋରିର ଫର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି ବଲାଣି ପୁଲିସ । ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ ଜଣେ ନାବାଳକ ସହ ୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟରେ ହାଜର କରିଛି । ସେଥି ମଧ୍ୟରୁ ଜଣେ ସୁନା ବ୍ୟବସାୟୀ ଚୋରି ସୁନା କ୍ରୟ କରି ଗିରଫ ହୋଇଥିବା ଜଣାପଡିଛି । । ଗିରଫଙ୍କ ମଧ୍ୟରୁ ଜଣେ ଗୁରୁଦ୍ୱାରା ହଟିଂ ର ନାବାଳକ ହୋଇଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆତ୍ରୀ ହଟିଂ ର ଅମନ ରାୟ ବୋଲି ଜଣାପଡ଼ିଛି । ଅନ୍ୟ ଅଭିଯୁକ୍ତ ବଡ଼ବିଲ ଆରତୀ ଡାକ୍ତରଖାନା ନିକଟରେ ଥିବା ସୁନା ବ୍ୟବସାୟୀ ଅନୀଲ କୁମାର ବର୍ମା ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, ବଲାଣି ଲୌହ ଖଣିରେ ବରିଷ୍ଠ ପ୍ରବନ୍ଧକ ଭାବରେ କାର୍ଯ୍ୟରତ ସୁରେଶ ଚନ୍ଦ୍ର ମହାନ୍ତି ଗତ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଯେ, ସେ ରହୁଥିବା ଖଣି ଅଧିକାରୀଙ୍କ ଆବାସିକ କଲୋନୀର କ୍ୱାଟର ସଂଖ୍ୟା ଇ୬/୧୮ ରେ ଘରେ କେହିନଥିବା ସମୟରେ କିଛି ଅଜ୍ଞାତ ଦୃବୁର୍ତ୍ତ କ୍ୱାଟର ର ମୁଖ୍ୟ କବାଟ ଭାଙ୍ଗି ଘରେ ପ୍ରବେଶ କରି ଘରେ ଥିବା ଆଲମିରାର ଲକର ତାଡି ପ୍ରାୟ ୧୫ ଭରି ସୁନା ସହିତ ରୁପା ଅଳଙ୍କାର ଲୁଟି ନେଇଥିଲେ । ଏହାକୁ ଆଧାର କରି ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅମନ ରାୟକୁ ଗିରଫ କରିବା ପରେ ବଡ଼ବିଲ ସୁନା ବ୍ୟବସାୟୀ ଅନୀଲ କୁମାର ବର୍ମାକୁ ଗିରଫ କରିବା ସହିତ ତାଙ୍କ ଠାରୁ ୭.୫ ଗ୍ରାମ ତରଳା ଯାଇଥିବା ସୁନା ଏବଂ ପ୍ରାୟ ୭୫ ଗ୍ରାମ ରୂପା ଅଳଙ୍କାର ଉଦ୍ଧାର କରିଛି ବଲାଣି ପୁଲିସ । ଏହା ସହିତ ମୁଖ୍ୟ ଅଭିଯୁକ୍ତକୁ ଚୋରିରେ ସାହାଯ୍ୟ କରିଥିବା ଅନ୍ୟ ଏକ ନାବାଳକ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରି ସୁଧାର ଗୃହକୁ ପଠାଇଛି ।

ପ୍ରକାଶଯୋଗ୍ୟ ଯେ, ଉକ୍ତ କ୍ୱାଟରକୁ ଲାଗି ରହିଥିବା ଇ୬/୧୯ ରେ ରହୁଥିବା ସହ ମହାପ୍ରବନ୍ଧକ ସହନବାଜ ଆଲାମଙ୍କ କ୍ୱାଟରର କବାଟର ତାଲା ତାଡି ସମାନ ଭାବରେ ଚୋରି ହୋଇଥିବା ବେଳେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଛୁଟିରେ ଥିବାରୁ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ତେବେ ଉକ୍ତ ଚୋରି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଚୋରି ସାମଗ୍ରୀ ଜବତ ହୋଇନଥିବା ବେଳେ ଏଥିରେ ଏକ ରାକେଟ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ଓ ସମସ୍ତ ସାମଗ୍ରୀ ଯଥା ଶୀଘ୍ର ଜବତ କରିବା ସହିତ ଏହି ଘଟଣାରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ବଲାଣି ଥାନାର ଥାନା ଅଧିକାରୀ ଲବ ବୋଡା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande