ଜୟପୁର, ୧୬ ଜୁନ୍ (ହି.ସ.)- ବନ କର୍ମଚାରୀଙ୍କ ସୁରକ୍ଷା ସହ ଅନ୍ୟାନ୍ୟ ଅବ୍ୟବସ୍ଥାର ପ୍ରତିକାର ପାଇଁ ସରକାର ଏକ ବନ ଆୟୋଗ ଗଢନ୍ତୁ । ଏହା ସହ ୩ ଦଫା ଦାବି ନେଇ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୁଇ ଦିନ ହେବ ଜୟପୁର ବନଖଣ୍ଡ ଓ କୋରାପୁଟ ବନଖଣ୍ଡର କର୍ମକ୍ଷେତ୍ରରେ କଳାବ୍ୟାଚ ପିନ୍ଧି ପ୍ରତିବାଦ ଆରମ୍ଭ କରିଛନ୍ତି । ଜୀବନ ପ୍ରତି ବିପଦ ଥିବା ଭଳି କୌଣସି କାର୍ଯ୍ୟ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଯଦି ସରକାର କିଛି ପଦକ୍ଷେପ ନନିଆନ୍ତି ତେବେ ଆସନ୍ତା ୨୨ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ନନ୍ଗେଜେଟେଡ଼ ବନ ସେବା ସଂଘର ଆନ୍ଦୋଳନ ଡାକରାରେ ସମସ୍ତ ବନଖଣ୍ଡରେ ଆନ୍ଦୋଳନ ଆରମ୍ଭ ହୋଇଛି । ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ କଳାବ୍ୟାଚ ପିନ୍ଧିଛନ୍ତି ।
ସଂଘ ସାର୍କିଲ ସଭାପତି ରବିନ୍ଦ୍ର ପ୍ରଧାନ କହିଛନ୍ତି, ଗତ ମାସ ୨୪ରେ ଶିକାରୀ ଗୁଳିରେ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ବନରକ୍ଷୀ ପ୍ରହ୍ଲାଦ ପ୍ରଧାନଙ୍କ ଜୀବନ ଗଲା । ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଦାବି କରାଯାଇଛି । ଟେରିଟୋରିଆଲ ଡିଭିଜନରେ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ (ଏସଏସଏଫ) ଓ ରାପିଡ଼ ରେସପନ୍ସ ଟିମ (ଆରଆରଟି) ଗଢା ଯାଉନି କି ଆବଶ୍ୟକତା ଅନୁସାରେ କ୍ୟାଡର ପରିବର୍ତ୍ତନ ହେଉନି । ଖାଲି ସେତିକି ନୁହେଁ, ବାରମ୍ବାର ଦାବି ସତ୍ତ୍ୱେ ଭୌଗଳିକ ଅଞ୍ଚଳ ଓ ଜଙ୍ଗଲ ଘନତା ଅନୁସାରେ ରେଞ୍ଜ, ସେକ୍ସନ କି ବିଟ୍ ପୁନର୍ଗଠନ ହେଉନି । ଏକ ସ୍ୱତନ୍ତ୍ର ଆୟୋଗ ଗଢ଼ାଗଲେ, ସମସ୍ତ ଅବ୍ୟବସ୍ଥାର ତର୍ଜମା କରାଯାଇ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ପରିଚାଳନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରିବ । ସେହିପରି ମୃତକ ପ୍ରହ୍ଲାଦଙ୍କ ପରିବାରକୁ ୧ କୋଟିର ସହାୟତା ଦେବା ସହ ସମସ୍ତ କର୍ମଚାରୀଙ୍କ ଦରମା ପ୍ୟାକେଜକୁ ନେଇ ବୀମା ପ୍ରଦାନ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି । ବନ ଆୟୋଗ ନ ଗଢ଼ା ହେଲେ, ସବୁ କ୍ଷେତ୍ର କର୍ମଚାରୀ ସମୂହ ଛୁଟିରେ ଯିବାକୁ ସେ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି