ଭୁବନ, ୧୬ ଜୁନ୍ (ହି.ସ.)- ଯାଜପୁର ଜିଲ୍ଲା ରୁ ଆରମ୍ଭ ହୋଇଥିବା ଡାଇରିଆ ଢେ଼ଙ୍କାନାଳ ଜିଲ୍ଲାକୁ ବ୍ୟାପିବା ପରେ ଭୁବନରେ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହେବ ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଦିନିକିଆ ଗସ୍ତରେ ଭୁବନ ଆସି ଡାକ୍ତରଖାନା ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଓ ରୋଗୀଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଡାଇରିଆ ନିରାକରଣ ଅଭିଯାନ କୁ ଶୁଭାରମ୍ଭ କରି କହିଥିଲେ ଯେ, ସ୍ବଚ୍ଛତା ସହିତ ଓ ଆର୍ ଏସ ଦ୍ରବଣ,ଡାଇରିଆ ର ନିରାକରଣ । ଲୋକମାନେ ସ୍ବଚ୍ଛତା ଅବଲମ୍ବନ କରିବା ସହ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ଜଳ ପିଇବା ଓ ଅସୁସ୍ଥ ଲାଗିଲେ ଓ ଆର୍ ଏସ ପିଇବାକୁ ପରାମର୍ଶ ଦେଇଥିଲେ । ଖୁବ୍ ଶୀଘ୍ର ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନିଯୁକ୍ତି ଦିଆଯିବ ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପରେଖ ବଦଳିଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ । ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ପ୍ରତିନିଧି ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା,ସାଂସଦ ରୁଦ୍ର ନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଅତିରିକ୍ତ ନିର୍ଦ୍ଦେଶକ ( ଶିଶୁ ସ୍ୱାସ୍ଥ୍ୟ) ଡ଼ା .ଆଦିତ୍ୟ ମହାପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସଞ୍ଜୟ କୁମାର ମହାପାତ୍ର, ଭୁବନ ମେଡ଼ିକାଲ ଅଫିସର ଡ଼ା. ରମେଶ କୁମାର ସାହୁ, ଡି ପି ଏମ (ଏନ୍ ଏଚ ଏମ ) ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏନ୍ ଏ ସି ର ୩୦ ହଜାର ରୁ ଉର୍ଦ୍ଧ୍ବ ଓ ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଏଠାରେ ୧୨ ଜଣ ଡାକ୍ତର ଙ୍କ ବଦଳରେ ମାତ୍ର ୨ ଜଣ ଡାକ୍ତର ରହିବା ଯୋଗୁ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଉଲ୍ଲେଖ କରି ତୁରନ୍ତ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନିଯୁକ୍ତି ଦେବାକୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ । ଶେଷରେ ଡାଇରିଆ ଅଭିଯାନ ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଜୁଲାଇ ୩୧ ପର୍ଯ୍ୟନ୍ତ ନିରାକରଣ ଅଭିଯାନ ଚାଲିବ । ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ