ମାଲକାନଗିରି, ୧୬ ଜୁନ୍ (ହି.ସ.) - ମାଲକାନଗିରି ପୋଲିସ ଜଣେ ବାଇକ୍ ଚୋରଙ୍କୁ ରବିବାର ଦିନ ଗିରଫ କରିବା ସହ ତାଙ୍କ ଠାରୁ ତିନୋଟି ଗାଡି ଜବତ କରିଛି। ଗିରଫ ଜଣକ ହେଲେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ସଦର ଥାନା ଜଗନ୍ନାଥ ମନ୍ଦିର ସାହିର ଶୀତଳ ପାଇକ ଓରଫ ରିଙ୍କୁ ପାଇକ ଓରଫ ଚେପା ବୋଲି ଜଣାପଡିଛି।
ଗତ ଜୁନ୍ ୨ ତାରିଖ ରେ ମାଲକାନଗିରି ସଦର ମହକୁମା ଆଇଏମଏସ୍ଟି ବିଦ୍ୟାଳୟ ଛକ ନିକଟରେ ରହୁଥିବା ପ୍ରକାଶ ବର୍ମନ ତାଙ୍କ ବାଇକ୍ ରାତିରେ ଚୋରି ହୋଇଥିବା ନେଇ ସେ ଜୁନ୍ ୩ ତାରିଖ ଦିନ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ସେହିପରି ଏଜୁକେସନ କଲୋନୀର ଭବାନୀ ଶଙ୍କର ଜେନା ଏପ୍ରିଲ ୨୦, ୨୦୨୫ ଦିନ ରାତିରେ ଘର ସମ୍ମୁଖରେ ବାଇକ୍ ରଖିଥିବା ବେଳେ ତାହା ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ସେହିପରି ଏମ୍ଭି - ୪୨ ଗ୍ରାମର ଭବତୋଷ ବିଶ୍ୱାସଙ୍କ ଗାଡ଼ି ଫେବୃଆରୀ ୬, ୨୦୨୫ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ସମସ୍ତ ଘଟଣାକୁ ଆଧାର କରି ପୋଲିସ ଏହାର ତଦନ୍ତ ଜାରି ରଖିଥିବା ବେଳେ ରବିବାର ଦିନ ଶୀତଳ ପାଇକକୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତ ଶୀତଳ ଠାରୁ ତିନୋଟି ବାଇକ୍ ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ