ଯାଜପୁର ଜିଲ୍ଲାରେ ଡାଇରିଆ ପରିଚାଳନା କାର୍ଯ୍ୟକ୍ରମର ତଦାରଖ କଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ ଯାଜପୁର ଜିଲ୍ଳାର ବିଭିନ୍ନ ଅଂଚଳ ଗସ୍ତ କରି ଡାଇରିଆ ପରିଚାଳନା କାର୍ଯକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଥିଲେ । ପ୍ରଭାବିତ ଅଂଚଳରେ ସାଧାରଣ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ କରିବା ସହ
ଯାଜପୁର ଜିଲ୍ଲାରେ ଡାଇରିଆ ପରିଚାଳନା କାର୍ଯ୍ୟକ୍ରମର ତଦାରଖ କଲେ ସ୍ୱାସ୍ଥ୍ୟ ସଚିବ


ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ ଯାଜପୁର ଜିଲ୍ଳାର ବିଭିନ୍ନ ଅଂଚଳ ଗସ୍ତ କରି ଡାଇରିଆ ପରିଚାଳନା କାର୍ଯକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଥିଲେ । ପ୍ରଭାବିତ ଅଂଚଳରେ ସାଧାରଣ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ କରିବା ସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ସହ ବ୍ୟକ୍ତିଗତ ଭାବେ ସିଧା ସଳଖ ଆଲୋଚନା କରିଥିଲେ ।

ତାପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ରୋଗୀମାନଙ୍କ ଚିକିତ୍ସା ଏବଂ ସେ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା, ଔଷଧ ପତ୍ର ଆଦିର ଉପଲବ୍ଧତା ଆଦି ତଦାରଖ କରିଥିଲେ । ପରେ ପରେ ଶାସନ ସଚିବ ଜିଲ୍ଲା କାର୍ଯ୍ୟାଳୟ ସଭା ଗୃହ ଠାରେ ଯାଜପୁର ଜିଲ୍ଲାପାଳ ଅନ୍ୱେଷା ରେଡ୍ଡୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଯଯାତୀ କେଶରୀ ମେଡିକାଲ କଲେଜର ଅଧ୍ୟକ୍ଷ, ମେଡିକାଲ କଲେଜର ଡିନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡାଇରିଆ ନିରାକରଣ ଅଭିଯାନ ସହ ସମ୍ପର୍କିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ ।

ସମୀକ୍ଷାରେ ମୁଖ୍ୟତଃ ହସ୍ପିଟାଲମାନଙ୍କରେ ଡାଇରିଆ ରୋଗୀଙ୍କର ଆଡ଼ମିଶନ, ଆଶୁ ଚିକିତ୍ସା ଏବଂ ଆରୋଗ୍ୟ ବିଷୟରେ ଆଲୋଚନା ହୋଇଥିଲା । ପ୍ରତିଟି ଡାଇରିଆ କେସର କେସ ମ୍ୟାପିଂ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ନିର୍ଦ୍ଦେଶ ଦେଇଥିଲେ । ଆଡ଼ମିଶନ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ନିଶ୍ଚିତ କରିବା ଏବଂ ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ଯାଇ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରାମ ସ୍ତରରେ ଗୃହକୁ ଗୃହ ସଚେତନତା ଏବଂ ଡାଇରିଆ ଚିହ୍ନଟ କାର୍ଯ୍ୟ ଜାରି ରଖିବା ସହ ବିଶୋଧନ ଓ ପରିମଳ କାର୍ଯ୍ୟ ପୁନଃପୌନିକ ଭାବେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡାଇରିଆ ନିରାକରଣ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିବା ନିମନ୍ତେ ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଆର.ବି.ଏସ.କେ ଟିମ୍ ଯାଜପୁର ଜିଲ୍ଲାକୁ ପଠାଯାଇଛି । ଆବଶ୍ୟକୀୟ ସ୍ଥାନମାନଙ୍କରେ ଏହି ଟିମଙ୍କୁ ମୃତୟନ କରି ସେମାନଙ୍କ ସେବାର ସର୍ବାଧିକ ଉପଯୋଗ କରିବାକୁ ମଧ୍ୟ ଶାସନ ସଚିବ ଅଶ୍ୱତୀ ଏସ୍ ନିର୍ଦ୍ଦେଶ ଦେଇଥିଲେ ।

ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶାସନ ସଚିବ ପରିମଳ ଓ ପରିଚ୍ଛନ୍ନତା ନିୟମମାନ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ପରାମର୍ଶ ମାନି ଚଳିବାକୁ ଅନୁରୋଧ କରିଥିଲେ । ଚିକିତ୍ସା କରୁଥିବା ଡାକ୍ତରଙ୍କ ବିନା ଅନୁମତିରେ ହସ୍ପିଟାଲ ନଛାଡିବା ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ଘରକୁ ଗଲେ ପୁନଶ୍ଚ ସଂକ୍ରମଣ ଏବଂ ପରିବାରର ଅନ୍ୟ ବ୍ୟକ୍ତିଙ୍କ ସଂକ୍ରମଣ ସମ୍ଭାବନା ବହୁତ୍ କମ ହେବ ବୋଲି ଶାସନ ସଚିବ କହିଥିଲେ ।

ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ଏହି ଗସ୍ତ ସମୟରେ ଉପସ୍ଥିତ ରହି ସମୀକ୍ଷା ଓ ତଦାରଖ ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande