କଲିକତା, ୨୬ ଜୁନ (ହି.ସ.) – ବିହାର ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ଭୋଟର ତାଲିକାରେ ନାମ ଯୋଡ଼ିବା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ଆପତି ପ୍ରକାଶ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କମିଶନର ଏହି ପଦକ୍ଷେପ କେବଳ ବିହାର ନୁହେଁ ବରଂ ବଙ୍ଗଳାକୁ ମଧ୍ୟ ଟାର୍ଗେଟ କରିବାର ଏକ ଷଡ଼ଯନ୍ତ୍ର । ଗୁରୁବାର ଗଣମାଧ୍ୟମ ସହ କଥାବାର୍ତା କରି ମମତା ପ୍ରଶ୍ନ ଉଠାଇଛନ୍ତି ଯେ, କଣ ଏହି ପ୍ରକ୍ରିୟା ମାଧ୍ୟମରେ ଦେଶରେ ନୀରବରେ ଜାତୀୟ ନାଗରିକ ପଂଜିକାର ଅର୍ଥାତ୍ ଏନଆରସି ଲାଗୁ କରିବାକୁ ଚେଷ୍ଟା କରାଯାଉଛି ।
ନିର୍ବାଚନ କମିଶନ ସମ୍ପ୍ରତି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ କିଛି ନୂତନ ନିୟମ ଜାରି କରିଛନ୍ତି, ଯାହା ଅନୁଯାୟୀ ଏବେ ନାଗରିକତାର ସ୍ପଷ୍ଟ ପ୍ରମାଣପତ୍ର ପ୍ରଦାନ ନ କରି ଭୋଟର ତାଲିକାରେ ନାମ ଯୋଡ଼ାଯାଇପାରିବ ନାହିଁ ।
କମିଶନ କହିଛନ୍ତି ଯେ, ୧ ଜୁଲାଇ ୧୯୮୭ ପୂର୍ବରୁ ଜନ୍ମିତ ନାଗରିକ ମାନଙ୍କୁ ସେମାନଙ୍କର ଜନ୍ମ ତାରିଖ ଏବଂ ଜନ୍ମ ସ୍ଥାନର ପ୍ରମାଣ ଦେବାକୁ ପଡ଼ିବ, ଯେଉଁଥିରେ ଜନ୍ମ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ଡକୁମେଂଟ ଅନ୍ତର୍ଭୁକ୍ତ ହୋଇପାରେ । ୧ ଜୁଲାଇ ୧୯୮୭ ପରେ ଜନ୍ମଗ୍ରହଣ କରିଥିବା ଲୋକମାନଙ୍କୁ ସେମାନଙ୍କର ପିତାମାତାଙ୍କ ସହିତ ସେମାନଙ୍କର ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ପଡ଼ିବ । କେବଳ ଏତିକି ନୁହେଁ, ଯେଉଁମାନଙ୍କର ନାମ ୨୦୦୩ର ଭୋଟର ତାଲିକାରେ ନ ଥିଲା ସେମାନଙ୍କୁ ମଧ୍ୟ ସେମାନଙ୍କର ଜନ୍ମସ୍ଥାନ ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଏହା ବ୍ୟତୀତ, ସମସ୍ତ ନାଗରିକଙ୍କୁ ଭାରତୀୟ ନାଗରିକ ହେବାର ଏକ ଆତ୍ମ-ଘୋଷଣା ପତ୍ର ମଧ୍ୟ ଦାଖଲ କରିବାକୁ ପଡ଼ିବ । କମିଶନ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨ ଡିସେମ୍ବର ୨୦୦୪ ପରେ ଜନ୍ମିତ ଲୋକଙ୍କ ପାଇଁ ସମାନ ନିୟମ ପ୍ରଯୁଜ୍ୟ ହେବ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ