ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତି
ପୁରୀ, ୨୭ ଜୁନ୍ (ହି.ସ.)- ଆଜି ପବିତ୍ର ଶୀଗୁଣ୍ଡିଚା ଯାତ୍ରା । ରତ୍ନବେଦି ଛାଡି ଜନ୍ମବେଦିକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତି । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦିରୁ ଜନ୍ମବେଦିକୁ ନବ ଦିନ ବ୍ୟାପୀ ଯାତ୍ରା କରୁଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ବଡଦାଣ୍ଡ ଭକ୍ତମୟ ହୋଇ ଉଠିଛି ।
ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତି


ପୁରୀ, ୨୭ ଜୁନ୍ (ହି.ସ.)- ଆଜି ପବିତ୍ର ଶୀଗୁଣ୍ଡିଚା ଯାତ୍ରା । ରତ୍ନବେଦି ଛାଡି ଜନ୍ମବେଦିକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତି । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦିରୁ ଜନ୍ମବେଦିକୁ ନବ ଦିନ ବ୍ୟାପୀ ଯାତ୍ରା କରୁଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ବଡଦାଣ୍ଡ ଭକ୍ତମୟ ହୋଇ ଉଠିଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଂଟ ଘଂଟା, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ କମ୍ପି ଉଠୁଛି । ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତି ।

ଆଜି ଭୋରରୁ ଦ୍ୱାର ଫିଟା ପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ, ହୋମ ପରେ ଅବକାଶ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ପରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଥିଲା । ସକାଳ ଧୂପ, ଗୋପାଳ ବଲ୍ଲଭ ସରିବା ପରେ ଶ୍ରୀଜୀଉମାନଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଘଂଟ ଘଂଟା ମୃଦଙ୍ଗରେ ପ୍ରକମ୍ପିତ ହୋଇ ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ । ଧାଡି ପହଣ୍ଡିରେ ଶ୍ରୀବିଗ୍ରହ ମାନେ ରଥାରୁଢ଼ ହୋଇଥିଲେ । ପ୍ରଥମେ ଶୂନ୍ୟ ପହଣ୍ଡିରେ ସୁଦର୍ଶନ ମହାପ୍ରଭୁ ରଥ ଉପରେ ବିରାଜମାନ କରିଥିଲେ । ପରେ ଶ୍ରୀ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ରଥାରୁଢ଼ ହୋଇଥିଲେ । ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥାରୁଢ଼ ହୋଇଥିଲେ କାଳିଆ ଠାକୁର । ପରେ ପରେ ମଦନମୋହନ, ରାମକୃଷ୍ଣ ରଥରେ ବିଜେ କରିଥିଲେ । ଦିନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା । ପରେ ଶ୍ରୀଜୀଉମାନଙ୍କୁ ଚିତାଲାଗି ହୋଇଥିଲା । ଶଙ୍କରାଚାର୍ଯ୍ୟ ନିଜର ଅନୁଗାମୀ ମାନଙ୍କ ସହିତ ଯାଇ ତିନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ । ଗଜପତି ମହାରାଜ ତିନି ରଥରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଚାରମାଳ ବନ୍ଧା ଓ ଏହାପରେ ରଥରେ ଘୋଡ଼ା ଯୋଚାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବେ । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande