କେନ୍ଦ୍ରାପଡା,୨୭ ଜୁନ୍ (ହି.ସ.)- ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉ ସାନଭାଇ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହିତ ବ୍ରହ୍ମତାଳଧ୍ୱଜ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ଘୋଷଯାତ୍ରାରେ ଯୋଗଦେବା ପାଇଁ ଶ୍ରୀମନ୍ଦିରରେ ରଥଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଶ୍ରୀ ଗୁଣ୍ଡିଚା ପ୍ରଥମ ଦିନରେ କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ରଥାଋଢ ଦିଅଁମାନେ ବିରାଜମାନ କଲାପରେ ରଥମାତ୍ର ଦୁଇ ଦଉଡି ଟଣାଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକି ରହିଥାନ୍ତି । ଗତକାଲି ନବ ଯୈାବନ ରୂପରେ ଭକ୍ତ ସମାଜକୁ ଦର୍ଶନ ଦେଲାପରେ ନେତ୍ରୋତ୍ସବ ପାଳନ କରାଯାଇଥିଲା । ସ୍ନାନଯାତ୍ରା ଠାରୁ ଅଣସର ଗୃହରେ ଜ୍ୱର ରେ ପୀଡିତ ହୋଇ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ଗୁପ୍ତ ସେବା ଚିକିତ୍ସା ଲାଭ କରିଥିଲେ । ପ୍ରତ୍ୟୁଷରେ ଜୟମଙ୍ଗଳା ଆରତୀ, ନୀତିସ୍ନାନ, ନ୍ୟାସ ପ୍ରତିଷ୍ଠା ହୋମ, ସୂର୍ଯ୍ୟ, ଦ୍ୱାରପାଳ ପୂଜା ଓ ପାଶ୍ୱର୍ ଦେବତାମାନଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇଥିଲା । ବଲ୍ଲଭ ଓ ମଙ୍ଗଳାର୍ପଣ ସକାଳ ଓ ଦ୍ୱିପହର ଧୂପ ପରେ ସନ୍ଧ୍ୟା ଆଳତୀ ହେବାପରେ ବ୍ରହ୍ମତାଳଧ୍ୱଜ ରଥର ଚୂଡାରେ ନେତ ବନ୍ଧା ଯାଇଥିଲା । ରଥ ନିର୍ମାଣର ସମସ୍ତ କାର୍ଯ୍ୟ କରିବା ପରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଦିଅଁ ମାନଙ୍କର ପାରମ୍ପରିକ ପୂଜା, ନୀତି, କର୍ମ ଅନୁଷ୍ଠିତ ହେବାପରେ ମଙ୍ଗଳାର୍ପଣ ଓ ସେନାପତା କରାଯିବା ସହ ଦିଅଁମାନଙ୍କୁ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହି ନବଦିନାତ୍ମକ ଯାତ୍ରାର ପ୍ରଥମ ଦିବସର ଦ୍ୱିପ୍ରହର ୨ଟା ୩୦ ମିନିଟ୍ ସମୟରେ ରଥ ଆରୋହଣ ପାଇଁ ଦିଅଁମାନଙ୍କ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ସର୍ବବୃହତ୍ ବ୍ରହ୍ମତାଳଧ୍ୱଜ ରଥରେ ମହାପ୍ରଭୁ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ବିରାଜମାନ କରି ମା ଗୁଣ୍ଡିଚା ମନ୍ଦିର ନିିକଟକୁ ବିଜେ କରିଥାନ୍ତି । ତିନି ମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ନିଆଯାଉଥିବାବେଳେ ପ୍ରଭୁ ସୁଦର୍ଶନଙ୍କୁ ଶୂନ୍ୟ ପହଣ୍ଡିରେ ନିଆଯାଇଥାଏ । କେନ୍ଦ୍ରାପଡାରେ ଶ୍ରୀ ଗୁଣ୍ଡିଚା ପ୍ରଥମ ଦିନ ୪ଟା ସୁଦ୍ଧା ଦିଅଁମାନେ ରଥାରୁଢ ହେବାପରେ ରାଜପୁରୋହିତଙ୍କ ଦ୍ୱାରା ଛେରା ପହଁରା କରାଯିବା ସହ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହୋଇଥିଲା । ଆଜିର ଏହି ଯାତ୍ରାରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସହ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାକୁ ଅବଲୋକନ କରିଥିଲେ । ରିପୋର୍ଟ ଲେଖାହେଲା ବେଳକୁ ରଥଟଣା ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତାକାଲି ଶୁକ୍ରବାର ଦିନ ୨ଟା ବେଳେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ମାଉସୀ ମା ମନ୍ଦିର ନିକଟରେ ପହଁଚିବ ବୋଲି ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ