କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ସମାନ କାମକୁ ସମାନ ଦରମା ଦାବି ନେଇ ବାରଘଂଟିଆ ଧାରଣା ଦିଆଯାଇଛି । ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ଆହ୍ୱାନରେ ଜିଲ୍ଲା ସଭାପତି ବାପୁଜୀ ମହାପାତ୍ରଙ୍କ ନେତୃତ୍ୱରେ ମୃତ୍ୟୁଞ୍ଜୟ ମହାନ୍ତି, ନଳିନୀକାନ୍ତ ମହାନ୍ତି, ଚିନ୍ମୟ ନାୟକ, ତନୁଶ୍ରୀ ପଣ୍ଡାଙ୍କ ସମେତ ଶତାଧିକ ଅଧ୍ୟାପକ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ୧ ଜୁନ୍ ୨୦୦୮ରୁ ୧ ଜୁନ୍ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ତୁରନ୍ତ ନୂତନ ଅନୁଦାନ ରାଶି ଘୋଷଣା କରିବେ ନଚେତ୍ ଆଗାମୀ ଦିନରେ ଧାରଣା ତୀବ୍ରତର ହେବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି