ପୁରୀ/ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଚତୁର୍ଦ୍ଧାମୂରତିଙ୍କ ମାନବୀୟ ଲୀଳାର ନିଦର୍ଶନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସାମୁହିକ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱାସ୍ଥ୍ୟ ଜନିତ ଜିରୋ କେଜୁଆଲଟି ଲକ୍ଷ୍ୟ ହାସଲ କରିଛି। ସେଥିପାଇଁମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀଠାରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଛନ୍ତି।
ରଥଯାତ୍ରା-୨୦୨୫ ଅବସରରେ ସମନ୍ୱିତ ଓ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀଠାରେ ବିଭାଗର କ୍ୟାମ୍ପ ଅଫିସ୍ କାର୍ଯ୍ଯ କରୁଛି । ଏହି ବର୍ଷ ଅତିରିକ୍ତ ବେଡ଼ ସଂଖ୍ୟା ଗତ ବର୍ଷର ୧୪୦ରୁ ୨୬୫କୁ ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି। ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଏମ୍ସ୍, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି।
ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲେନ୍ସ ନେଟୱାର୍କ ସୁନିଶ୍ଚିତ କରାଯାଇଛି। ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସ୍ୱେଚ୍ଛା ସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ସେବାରେ ଅଛନ୍ତି। ଜନସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତା, ନିରାପଦ ପାନୀୟ ଜଳ, ହାତ ଧୋଇବା ଏବଂ ସ୍ୱଚ୍ଛତା ପ୍ରୋଟୋକଲ, ଓଆରଏସ୍ ବ୍ୟବହାର, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୋଭିଡ୍-୧୯ ପ୍ରତିରୋଧ ବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବାବଦରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅଭିଯାନ ଜାରି ରହିଛି ।
ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କେଂଟ୍ରାଲ ରୁମ୍ ୨୪ ଘଂଟା କାର୍ଯ୍ୟ କରୁଛି। ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କେଂଟ୍ରାଲ ରୁମ୍ ମୋବାଇଲ ନମ୍ବର +୯୧ ୬୩୭୦୫୬୦୨୪୭ ଏବଂ ଲ୍ୟାଣ୍ଡଲାଇନ ନମ୍ବର ୦୬୭୫୨-୨୨୨୧୭୫ରେ ଯୋଗାଯୋଗ ପାଇଁ ବ୍ୟବସ୍ଥା କରାଯାଇଛି ।
ବିଭାଗର ଏହି ସମସ୍ତ କାର୍ଯ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜାରିରହିଛି । ମହାପ୍ରଭୁଂକ ରଥଯାତ୍ରା ସମୟରେ ଭକ୍ତବୃନ୍ଦଙ୍କୁ ଅବିରତ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗାଇଥିବାରୁ ମନ୍ତ୍ରୀ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।)
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ