ଜୟପୁର, ୨୮ ଜୁନ୍ (ହି.ସ.) - କୋରାପୁଟ ଜିଲା ଜୟପୁର ରଥଯାତ୍ରାରେ କଡା ସରୁକ୍ଷା ବଳୟରେ ପାରମ୍ପରିକ ରିତି ନିତି ଅନୁଯାଇ ରଥ ଟଣା ଆରମ୍ଭ କରାଯାଇଛି । ସାରା ରାଜ୍ୟରେ ଗତ କାଲି ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜୟପୁରରେ ତା ପରଦିନ ଆଜି ରଥ ଯାତ୍ରା ଅନୁଷ୍ଠିତ ହୋଇଛି । ଗତ କାଲି ଠାକୁରଙ୍କ ପହଣ୍ଡି କରାଯାଇ ରଥା ରୁଡ କରାଯାଇଥିବା ବେଳେ ଆଜି ଅପରାହ୍ନ ସାଢେ ୩ ଘଂଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ରଜାନହର ଠାରୁ ରଥଟଣା ଆରମ୍ଭ କରାଯାଇ ଥିଲା । ବାଙ୍କମଠ ଠାରେ ପ୍ରଭୁ ତିନି ଠାକୁର ଦଶ ଅବତାର ରେ ଦଶ ଦିନ ଭକ୍ତ କୁ ଦର୍ଶନ ଦେବେ । ବଡ ରଥ କୁ ପରୁଷ ମାନେ ଟାଣି ଥିବା ବେଳେ ଛୋଟ ରଥ ଅର୍ଥାତ ପତିତପାବନଙ୍କ ରଥ କୁ ମହିଳା ମାନେ ଟାଣି ଥିଲେ । ପୋଲିସ ତରଫରୁ କଡା ସୁରକ୍ଷା କରାଯାଇ ଥିବା ବେଳେ ୧୦ ପ୍ଲାଟୁନ ପୋଲିସ ସହ ୪୦ ଜଣ ଅଫିସର ମୁତୟନ ହୋଇଥିଲେ । ଭକ୍ତ ମାନେ ଯେପରି ସୁରୁଖୁରୁରେ ରଥ ଟାଣି ପାରିବେ ସେ ନେଇ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ଥିଲା । ହଜାର ହଜାର ଅବିଭକ୍ତ କୋରାପୁଟ ଜିଲାର ଆଦିବାସି ମାନେ ସେମାନଙ୍କ ପରମ୍ପରିକ ପୋଷାକ ପିନ୍ଧି ରଥ ଟଣାରେ ଭାଗ ନେଇଥିଲେ । ସଂକୀର୍ତନ ମଣ୍ଡଳି ସହ ଘଂଟୁଆ ମାନଙ୍କ ଘଂଟ ବାଜାରେ ଜୟପୁର ବଡଦାଣ୍ଡ ଉତ୍ସବ ମୁଖର ହୋଇ ପଡିଥିଲା । ଜୟପୁର ମୁଖ୍ୟ ରାସ୍ତାର ଦୁଇ ପାଶ୍ୱରେ ଥିବା କୋଠା ମାନଙ୍କରେ ରଥ ଟଣା ଦେଖିବା ପାଇଁ ଭକ୍ତ ଙ୍କ ଭିଡ ଜମିଥିଲା । ରଥ ଟଣା ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜୟପୁର ତହସିଲଦାର ଚିତରଞ୍ଜନ ପଟ୍ଟନାୟକ, ଜୟପୁର ଏସଡିପିଓ ପାର୍ଥ କଶ୍ୟପ , ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି