ପୁରୀ, ୨୮ ଜୁନ୍ (ହି.ସ.)- ପ୍ରତିବର୍ଷ ରଥଯାତ୍ରାରେ ବିଭିନ୍ନ ଘଟଣା ଓ ଅଘଟଣ ଦେଖିବାକୁ ମିଳେ । ରଥ ବୈଠକ ଓ ପ୍ରଚାର ଯେପରି ହୁଏ ପ୍ରାଟିକାଲରେ ସେପରି ପାଳିତ ହୋଇନଥାଏ । ରଥଯାତ୍ରାରେ ବିଭିନ୍ନ ସମସ୍ଯାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ରଥ ରନୱେରୁ......
ରଥକର୍ଡନରେ ମାଳମାଳ ପାସଧାରୀ- ଚଳିତ ବର୍ଷ ରଥଯାତ୍ରାରେ ଅଯଥା ପାସଧାରୀ ମାନେ ମାଳମାଳ ବୁଲୁଥିବା ଦେଖିବାକୁ ମିଳିଥିଲା । ଲୋକସମ୍ପର୍କ ବିଭାଗ ପକ୍ଷରୁ ଯେତିକି ପାସ ଦିଆଯାଇଥିଲା ତାଠାରୁ ଅଧିକ କର୍ଡନ ପାସଧାରୀ ମାନେ କର୍ଡନରେ ବୁଲୁଥିବା ଦେଖିବାକୁ ମିଳିଥିଲା । ୱେବ ସାମ୍ବାଦିକ ମାନଙ୍କୁ କର୍ଡନ ପାସ ଦିଆଯାଇ ନଥିବା ବେଳେ ଅନେକ ୱେବ ସାମ୍ବାଦିକ କର୍ଡନ ପାସ ମାରି ବୁଲୁଥିବା ଦେଖିବାକୁ ମିଳିଥିଲା । ସେହିପରି କିଛି ସାମ୍ବାଦିକ କର୍ଡନ ପାସ ନଥାଇ ବୁମ ଦେଖାଇ ଗହଳି କରୁଥିବା ଦୃଶ୍ଯମାନ ହୋଇଥିଲା । ସେହିପରି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ କର୍ଡନ ଭିତରେ ବୁଲୁଥିଲେ ଯାହା ଫଳରେ ପୋଲିସର ମୁଣ୍ଡ ବିନ୍ଧା ବଢିଯାଇଥିଲା ।
ଇନ୍ଦ୍ରଙ୍କ ପୁଷ୍ପ ବୃଷ୍ଟି- ପହଣ୍ଡି ଚାଲିଥିଲା । ପାଗ ମେଘୁଆ ଥିଲା । ଝିପି ଝିପି ବର୍ଷା ହେଉଥିଲା ତଥାପି ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେବା ପରେ ଝିପି ଝିପି ବର୍ଷା ହେବାରୁ ଜୈନିକ ବୃଦ୍ଧ ଭକ୍ତ କହୁଥିଲେ ଇନ୍ଦ୍ରଙ୍କ ପୁଷ୍ପ ବୃଷ୍ଟି ହେଲା ।
ରଥକର୍ଡନ ପାଲଟିଲା ସେଲଫି ପଏଣ୍ଟ-ରଥକର୍ଡନ ଥିଲା ଭକ୍ତିମୟ ପରିବେଶ । ପହଣ୍ଡି ତାଳେ ତାଳେ ଭକ୍ତ ହୋଇଥିଲେ ବିଭୋର । ସମସ୍ତେ ଜୟ ଜଗନ୍ନାଥ ହରିବୋଲ ପକାଉଥିଲେ ମଧ୍ୟ ଦୁଇହାତ ଉପରକୁ ଉଠିନଥିଲା । ସମସ୍ତେ ମୋବାଇଲରେ ସେଲଫି ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ୟୁଟ୍ଯବ, ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟରରେ ଫଟୋ ପୋଷ୍ଟ ପାଇଁ ଚାଲିଥିଲା ପ୍ରତିଯୋଗିତା । ବିଭିନ୍ନ କର୍ମଚାରୀ, ପୋଲିସ, ବ୍ଯାଙ୍କ କର୍ମଚାରୀଙ୍କ ସମେତ ସ୍ବେଛାସେବୀ ଓ ରଥଯାତ୍ରୀ ସେଲଫି ଫଟୋରେ ମାତିଥିଲେ ।
ବାଜିଲା ବିଜେ କାହାଳୀ ଖୋଲିଲା ସିଂହଦ୍ଵାର- ଲକ୍ଷ ଲକ୍ଷ ଭକ୍ତ ରଥପାଖରେ ଅପେକ୍ଷାରତ । କେତେବେଳେ ପ୍ରଭୁ ହେବେ ରଥାରୁଢ । ଠିକ ଏହି ସମୟରେ ବାଜି ଉଠିଲା ବିଜେ କାହାଳି ଖୋଲିଲା ସିଂହଦ୍ଵାର । ପ୍ରଥମେ ପହଣ୍ଡି ହୋଇ ଆସିଲେ ଶ୍ରୀସୁଦର୍ଶନ । ପରେ ବଡଠାକୁର ଶ୍ରୀବଳଭଦ୍ର ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ହରିବୋଲ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ସିଂହଦ୍ଵାର ।
ଉଡିଲା ଡ୍ରୋନ କ୍ଯାମେରା ଚାହିଁଛି ଏଆଇ କ୍ଯାମେରା- ଏଥର ରଥଯାତ୍ରାରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି । ଜଳସ୍ଥଳ ଆକାଶ ସହ ଜଗିଛି ପୋଲିସ । ପହଣ୍ଡି ସମୟରେ ହଠାତ ତିନୋଟି ଡ୍ରୋନ କ୍ଯାମେରା ସାଇଁ ସାଇଁ ଶଦ୍ଦ କରି ଉଡିବାକୁ ଲାଗିଲା । ଏହାକୁ ଦେଖି ଅନେକ ଭକ୍ତ ଉପରକୁ ଚାହିଁଥିଲେ ।
ବଡଦାଣ୍ଡରେ ଗଡିଲା ଛୋଟ ରଥ-ମୁଖ୍ଯ ରଥକୁ ଛାଡି ବଡଦାଣ୍ଡରେ କେତେକ ଛୋଟ ରଥ ଗଡୁଥିବା ଦେଖିବାକୁ ମିଳିଥିଲା । ଏହି ରଥ ଗଡିବା ସମୟରେ ଭକ୍ତ ମାନେ ମୁଣ୍ଡିଆ ମାରୁଥିଲେ ଓ ଦକ୍ଷିଣା ଦେଉଥିଲେ । ଭାବବିହ୍ବଳ ହେଉଥିଲେ ଭକ୍ତ ।
ବଡଦାଣ୍ଡରେ ମାଳମାଳ ଦୀପ ଦୋକନ -ବଡଦାଣ୍ଡର ଦୁଇପାର୍ଶ୍ବରେ ମାଳମାଳ ଦୀପଦୋକନ ଦେଖିବାକୁ ମିଳିଥିଲା । ରଥ ଗଡିବା ପୂର୍ବରୁ ଦୀପ ଲଗାଇ ଶ୍ରଦ୍ଧାଳୁ ମାନେ ରାସ୍ତା ଉପରେ ରଖୁଥିଲେ । ଯାହାଫଳରେ ଗହଳିରେ ଭକ୍ତ ମାନେ ଗରମ ଦୀପରେ ଗୋଡ ପକାଉଥିଲେ । ଫଳରେ ଭକ୍ତଙ୍କ ପାଦ ଫୋଟକା ହେଉଥିବା ଦେଖିବାକୁ ମିଳିଥିଲା ।
ରଥଦାଣ୍ଡରେ ଉଡିଲା ଅଇଁଠା ପତ୍ର- ପ୍ରଶାସନ ପକ୍ଷରୁ ଅନୁମତି ଆଣି ବଡଦାଣ୍ଡ ବା ରଥଦାଣ୍ଡରେ ୩୦ରୁ ଊର୍ଦ୍ଧ୍ବ ମାଗଣା ଖାଦ୍ଯ ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ଚାଲି ଚାଲି ଆସୁଥିବା ଭକ୍ତ ମାନେ ଭୋକ ହେବାରୁ ଏହି ଖାଦ୍ଯ କେନ୍ଦ୍ରରେ ଖାଉଥିଲେ । ଖାଇବା ପରେ ଅଇଁଠା ଖଲିପତ୍ରକୁ ବଡଦାଣ୍ଡରେ ଫୋପାଡୁଥିଲେ ଯାହା ରଥଦାଣ୍ଡର ପବିତ୍ରତାକୁ ନଷ୍ଟ କରୁଥିଲା । ଖାଇବା ପରେ ଅଇଁଠା ହାତ ଧୋଇବା ଓ ଅଇଁଠା ପାଣିବୋତଲ ପକାଉଥିବା ଦେଖିବାକୁ ମିଳିଥିଲା । ରଥ ଯିବା ସମୟରେ ଏହି ଅଇଁଠା ପତ୍ର ଗଦା ହୋଇଥିବା ଦେଖିବାକୁ ମିଳିଥିଲା । ଏହାଦେଖି ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ