ଯୋଡ଼ା, ୨୯ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ବଡବିଲ ଥାନା କଳିଙ୍ଗ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ପାଠ ପଢିବାକୁ ଟ୍ୟୁସନ ଯାଉଥିବା ଏକ ଦ୍ୱାଦଶ ଶ୍ରେଣୀର ନାବାଳକ ଛାତ୍ର ଉପରେ ଏକ ଦ୍ରୁତଗାମୀ ଟ୍ରକ୍ ମାଡିଯିବାରୁ ଛାତ୍ରଟିର ଜୀବନ ଚାଲିଯାଇଛି ।
ସୂଚନାନୁସାରେ, ଶନିବାର କଳିଙ୍ଗ ନଗର ଶିବ ମନ୍ଦିର ସମ୍ମୁଖରେ ଅପରାହ୍ନ ପ୍ରାୟ ୩ଟା ସମୟରେ ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବା ବେଳେ ବଡ଼ବିଲ ଦିଗରୁ ବଲାଣିକୁ ଯାଉଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ପଛ ଆଡୁ ଆସି ଛାତ୍ରଟିକୁ ପ୍ରାୟ ୨୦୦ ମିଟର ଘୋଷାଡି ନେଇଥିଲା । ଟ୍ରକ୍ ତଳେ ଚାପି ହୋଇ ପିଲାଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ଛାତ୍ରଙ୍କ ପରିଚୟ କଲିଙ୍ଗ ନଗର ଉତ୍ତମ ସିଂହ ବସ୍ତି ନିବାସୀ ବଳିଆ ନାୟକଙ୍କ ପୁଅ ବୁଧାଦିତ୍ୟ ନାୟକ ଭାବେ ଜଣାପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପିଲାଟି ରାସ୍ତା କଡରେ ଥିବା ନାଳର ସ୍ଲାବ ଉପରେ ଚାଲି ଚାଲି ଯାଉଥିବା ବେଳେ ଏହି ଟ୍ରକ୍ ଟି ପଛ ଆଡୁ ଆସି ଧକ୍କା ଦେଇଥିଲା । ସେହି ସମୟରେ ଚାଳକ ନିଶାସକ୍ତ ଅବସ୍ଥାରେ ଥିବାବେଳେ ଅନ୍ୟ ଗାଡି ଗୁଡିକ ମଧ୍ୟ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।
ସ୍ଥାନୀୟ ଲୋକେ ଘଟଣା ସମ୍ଵନ୍ଧରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ଶବ କଟର ରେ କାଟି ଟ୍ରକ୍ ତଳୁ ବାହାର କରି ବଡବିଲ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଗ୍ରାମବାସୀମାନେ ନ୍ୟାୟ ଓ କ୍ଷତିପୂରଣ ଦାବିରେ ବଡବିଲ- ବଲାଣି ମୁଖ୍ୟ ସଡ଼କକୁ ଅବରୋଧ କରିଥିଲେ, ଫଳରେ ବିଳମ୍ବିତ ରାତି ଯାଏଁ ଯାତାୟାତ ବ୍ୟାହତ ରହିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ଆଣିବା ପାଇଁ ବଡବିଲ ଅତିରିକ୍ତ ତହସିଲଦାର, ଏସଡିପିଓ ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଅନୁରୋଧ ଓ ଆଲୋଚନା ପରେ ରାତି ୧୧ଟା ସମୟରେ ଅବରୋଧ ଉଠିଥିଲା।
ଘଟଣା ସମ୍ବନ୍ଧରେ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।
ତେବେ ଅହରହ ଖଣିଜ ପରିବହନ, ଅନିୟନ୍ତ୍ରିତ ସଡ଼କ ଯୋଗୁଁ ପ୍ରାୟ ପ୍ରତ୍ୟେହ ଖଣି ଅଂଚଳରେ ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଥିଲେ ସୁଦ୍ଧା ପ୍ରଶାସନ କେବଳ ବୈଠକ ଓ କାଗଜ କଲମରେ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ନେଇ ଅଂଚଳରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ