ଗଂଗଟୋକ, ୩ ଜୁନ୍ (ହି.ସ.)- ଉତର ସିକ୍କିମରେ ଫସିଥିବା ୩୪ ଜଣ ଲୋକଙ୍କୁ ମଙ୍ଗଳବାର ହେଲିକପ୍ଟର ଯୋଗେ ପାକ୍ୟୋଂଗ ଗ୍ରୀନଫିଲ୍ଡ ବିମାନବନ୍ଦରରେ ସୁରକ୍ଷିତ ଭାବେ ପହଂଚାଯାଇଛି । ମଙ୍ଗଳବାର ସକାଳେ ୩୪ ଜଣ ଲୋକଙ୍କୁ ନେଇ ଏମଆଇ -୧୭ ବି୫ ହେଲିକପ୍ଟର ଉତର ସିକ୍କିମର ଛାତେନ ଠାରୁ ଉଡ଼ାଣ ଭରି ପାକ୍ୟୋଂଗ ବିମାନବନ୍ଦରରେ ଅବତରଣ କରିଥିଲା ।
ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରେ ଆହତ ସୈନ୍ୟକର୍ମୀ ମଧ୍ୟ ସାମିଲ୍ ଅଛନ୍ତି । ଆହତଙ୍କ ଚିକିତ୍ସା ଚାଲିଛି । ଅନ୍ୟ ଲୋକମାନଙ୍କ ମଧ୍ୟରେ ଆହତ ସୈନିକଙ୍କ ପରିବାର ଲୋକ ଏବଂ ସମ୍ପୃକ୍ତ ଅଂଚଳରେ ଫସି ରହିଥିବା ପର୍ଯ୍ୟଟକ ସାମିଲ୍ ଅଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ରବିବାର ଛାତେନରେ ଏକ ସୈନ୍ୟ ଶିବିରରେ ଭୂସ୍ଖଳନ ଫଳରେ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୪ ଜଣ ଆହତ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ