ଭୁବନେଶ୍ୱର,୦୩ ଜୁନ (ହି.ସ.) - ସହରାଂଚଳରେ ସଫେଇ କାମ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେଉଁଠି ସଫେଇ କାମ ନ ହେଉଛି, ଆଉଟସୋର୍ସିଂ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଟର୍ମିନେଟ୍ କରି ନୂଆ ସଂସ୍ଥାକୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସହର ହେଉଛି ରାଜ୍ୟର ମୁଖଶାଳା। ସହର କିଭଳି ପରିଷ୍କାର ରହିବ, ଡ୍ରେନେଜ ସିଷ୍ଟମ କିଭଳି ଠିକ୍ ରହିବ, ମୁଖ୍ୟମନ୍ତ୍ରୀ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାଣି ନିଷ୍କାସନ ଠିକ୍ ନହେଲେ ଜଳବନ୍ଦୀ ସମସ୍ୟା ଦେଖାଦେବ ଓ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ। ଲୋକ ଅସୁବିଧାରେ ପଡ଼ିବେ। ଏବର୍ଷ ଅଧିକ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ସହର ସ୍ଥିତି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଗତକାଲି ମୁଁ କଟକ, ଭୁବନେଶ୍ୱରର ବିଭିନ୍ନ ୱାଟର ଲଗିଂ ପଏଂଟ ବୁଲି ଦେଖିଲି। ବର୍ଷା ଆସିବା ପୂର୍ବରୁ ଡ୍ରେନ କାମ ସାରିବାକୁ ତଦାରଖ କଲି। ଆଜି ସମସ୍ତ ୧୫ ଟି ଯାକ ୟୁଏଲବିର ସମୀକ୍ଷା କରାଯାଇଛି। ଯେମିତି କେଉଁଠି ବି ସମସ୍ୟା ନ ରହିବ, ଯାହା ବି ସଫେଇ ଦରକାର, ଡ୍ରେନ କାମ ଦରକାର ସବୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଭାଗ ମିଳିତ ଭାବେ କାମ କରିବେ। ଏଇଟା ଏ ବିଭାଗର ଡ୍ରେନ, ସେଇଟା ସେ ବିଭାଗର ଡ୍ରେନ, କହିଲେ ଶୁଣାଯିବନି। ସବୁ ୟୁଏଲବିକୁ ନିର୍ଦ୍ଦେଶ ଯାଇଛି, ଖୁବ୍ ଜଲଦି ଡ୍ରେନ ସଫେଇ ଠାରୁ ଆରମ୍ଭ କରି ବ୍ଲକେଜ୍ ପର୍ଯ୍ୟନ୍ତ ସବୁ କାମ ସାରିବାକୁ। ଯଦି ସ୍ଥାୟୀ ସମାଧାନ ନ ହୋଇପାରୁଛି, ପମ୍ପ ସେଟ୍ ରଖି ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା