ବଲାଙ୍ଗିର, ୩୦ ଜୁନ୍ (ହି.ସ.)- ସାମାଜିକ ସଂଗଠନ ଅଭିଭାବକ ମଂଚ ବଲାଙ୍ଗିର ତରଫରୁ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାରର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ୧୧୬ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । କସ୍ତୁରୀ ରଥ ସଭା ସଂଯୋଜନା କରିଥିଲେ । ମଂଚାସିନ ଅତିଥି ଗଣ ପ୍ରଥମେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସମ୍ପାଦକ ଗୋବିନ୍ଦ ମିଶ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ନେତୃତ୍ୱରେ ସ୍ୱାଧିନତାର ବହୁ ପୂର୍ବରୁ ବଲାଙ୍ଗିର ପାଟଣା ଷ୍ଟେଟ ରେ ଗଢି ଉଠିଥିବା ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଆନ୍ଦୋଳନ ସମୁହର ଏକ ବିଶ୍ଲେଷଣାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ସମଗ୍ର କୋସଳାଞ୍ଚଳକୁ ଆନ୍ଧ୍ର, ବିହାର ତଥା ମଧ୍ୟପ୍ରଦେଶରୁ ଅଲଗା କରି ଏ ଅଂଚଳର ଗଡଜାତ ଗୁଡିକୁ ନେଇ ଏକ ସମ୍ମିଳିତ ପୂର୍ବାଂଚଳ ରାଜ୍ୟ ସମୁହ ର ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ତାଙ୍କର ଦୁର୍ବାର ଉଦ୍ୟମକୁ ମୁଖ୍ୟ ଅତିଥି ସ୍ମରଣ କରିଥିଲେ । କୌଣସି ଜାତି ର ବିକାଶ ପାଇଁ ନିଜର ଅତିତ ଇତିହାସ ଜାଣିବା ଯେତିକି ଆବଶ୍ୟକ ପୂର୍ବସୂରୀଙ୍କ ମାର୍ଗଦର୍ଶନକୁ ଆପଣେଇ ନେବା ତତୋଧିକ ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ । ମୁଖ୍ୟବକ୍ତା ନାଗରିକ କମିଟିର ପୂର୍ବତନ ସଂପାଦକ ମନୋରଂଜନ ସାହୁ ସ୍ୱର୍ଗତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ମାତ୍ର ୪୪ ବର୍ଷ ର ଜୀବନ କାଳ ମଧ୍ୟରେ ବିପରିତ ପରିସ୍ଥିତର ମୁକାବିଲା କରିବା ସହ କିପରି ପାଟଣା ଷ୍ଟେଟ ର ଜନଗଣଙ୍କ ଉନ୍ନତି କଳ୍ପେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ନେଇଥିଲେ । ରାଜେନ୍ଦ୍ର କଲେଜ ସ୍ଥାପନ, ଆୟୁର୍ବେଦ ଚିକିତ୍ସାଳୟ ସ୍ଥାପନ ତଥା ରାଜ୍ୟର ଐତିହାସିକ କିର୍ତ୍ତିରାଜିର ସଂରକ୍ଷଣ ପାଇଁ ତାଙ୍କର ପ୍ରାରମ୍ଭିକ ପ୍ରଚେଷ୍ଟକୁ ବକ୍ତା ସ୍ମରଣ କରିଥିଲେ । ଶିକ୍ଷାବିଦ୍ ଶ୍ୟାମ ସୁନ୍ଦର ଦାଶ ଏବଂ କୃଷକ ନେତା ରାଧାକୃଷ୍ଣ ମେହେର ଏ ଅଂଚଳର ବିକାଶରେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ଙ୍କ ଅମୁଲ୍ୟ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ମଦନ ମୋହନ ରଥ, ମାଳତି ଉଦ୍ଗାତା, ଚୁଡେନ୍ଦ୍ର ବେହେରା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଉପ-ସଭାପତି ପ୍ରଶନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ