ଧର୍ମଶାଳା, ୩୦ ଜୁନ୍ (ହି.ସ.)- ଜାତୀୟ ରାଜପଥ ସମ୍ପ୍ରସାରଣରେ ଜବର ଦଖଲ ବାଧକ ସାଜିଥିଲା । ବର୍ଷ ବର୍ଷ ଧରି କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମିରେ ଜବର ଦଖଲ କରି ସେଠାରେ ବହୁ ଘର ଓ ଦୋକାନ କରି ରହି ଆସୁଥିଲେ । ଜାତୀୟ ରାଜପଥ ସମ୍ପ୍ରସାରଣରେ ବିଳମ୍ବ ହେବାରୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଯାଜପୁର ଜିଲା ଦର୍ପଣ ତହସିଲ ଅଧିନ ବେଣାପୁର ଓ ବାଲିଚନ୍ଦ୍ରପୁରର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ପାଶ୍ୱର୍ରେ ବହୁ ଲୋକେ ଜବରଦଖଲ କରି ସେଠାରେ ବେଆଇନ ଭାବେ ଦୀର୍ଘ ଦିନ ହେବ ଘର ଓ ଦୋକାନ ଗୃହ ନିର୍ମାଣ କରିଥିଲେ । ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତା ନିର୍ମାଣରେ ନାନା ସମସ୍ୟା ଦେଖା ଦେଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ସେମାନଙ୍କୁ ନୋଟିସ କରାଯାଇଥିଲା। ଆଜି ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ ଘର ଓ ଦୋକାନଗୁଡିକୁ ମେସିନ ଲଗାଇ ଭଙ୍ଗା ଯାଇଛି । ଦର୍ପଣ ତହସିଲଦାର, ଜାତୀୟ ରାଜପଥ ଜମି ଅଧିଗ୍ରହଣ ଅଧିକାରୀ, ବଡଚଣା ଓ ବାଲିଚନ୍ଦ୍ରପୁର ପୋଲିସ ଉପସ୍ଥିତିରେ ଏହି ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ