ଭଦ୍ରକ, ୩୦ ଜୁନ୍ (ହି.ସ.) - ଗତ ୩ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ତଳମୁଣ୍ଡରେ ଅର୍ଥାତ ଆରଡିର ତଳିଆ ଅଂଚଳରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ନଦୀ ଉଛୁଳିଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ, ହେଲେ ତଳିଆ ଜମି ସବୁ ଜଳାର୍ଣ୍ଣାଭ ହୋଇଛି। ଅନ୍ୟପଟେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ପୂର୍ବାଳି ପବନ ଯୋଗୁ ସମୁଦ୍ର ଅଶାନ୍ତ ହୋଇପଡିଥିବାରୁ ଧାମାରା ମୁହାଣ ନିକଟରୁ ଉଠୁଛି ଉଚ୍ଚ ଜୁଆର। ଯାହାଫଳରେ ଉଭୟ ବର୍ଷା ଓ ଜୁଆରପାଣିରେ ଫୁଲିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଏପରିକି ଉପରମୁଣ୍ଡରେ ସାଳନ୍ଦୀ ନଦୀରେ ଭର୍ତି ହୋଇ ରହିଥିବା ମଇଁଶିଆ ଦଳ ଭାସି ଆସିବାରୁ ଆରଡି ତିନିତର ନଦୀଘାଟରେ ଜମାଟ ବାନ୍ଧିବାରୁ ଯାତ୍ରୀ ପରିବନ ବାଧାପ୍ରାପ୍ତ ହୋଇଥିଲା। ଦଳ ଏପରି ଭର୍ତି ହୋଇଥିଲା ମଟର ଚାଳିତ ବୋଟ ଯାଆଆସ କରିପାରିନଥିଲା । ଫଳରେ ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିଲେ ଶହଶହ ଯାତ୍ରୀ । ବିଶେଷକରି ସୋମବାର ଥିବାରୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ବହୁ ଶ୍ରଦ୍ଧାଳୁଭକ୍ତ ମଧ୍ୟ ତିନିତର ଘାଟ ନିକଟରେ ଦୀର୍ଘ ଘଂଟା ଧରି ଅଟକି ରହିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ