ଜୟପୁର, 30 ଜୁନ୍ (ହି.ସ.)
ଜୁନ୍ ୧୦ତାରିଖରେ ରାଜ୍ୟ ସରକାର ଓଡିଏ ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡ ଦ୍ୱିତୀୟ ସଂଶୋଧନ ନିୟମ, ୨୦୨୫ ନେଇ ବିଜ୍ଞପ୍ତି ଜାରି କରିଥିଲେ । ଏହାଦ୍ୱାରା ବହୁଦିନ ହେଲା ପାର୍ଟ ପ୍ଲଟ୍ ବିକ୍ରି ଉପରେ ଲାଗିଥିବା କଟକଣା ହଟିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଏହାପରେ ବି ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇପାରୁନି । ଲୋକେ ଯେଉଁ ସମସ୍ୟାରେ ଥିଲେ ଏବେବି ସେହି ସମସ୍ୟାରେ ଅଛନ୍ତି । ସରକାର ନିୟମ କରିଛନ୍ତି ବିନା ଅନୁମୋଦନରେ ୫୦୦ବର୍ଗମିଟର ବା ୫୩୮୧.୯୬ ବର୍ଗଫୁଟ ପର୍ଯ୍ୟନ୍ତ ଜମିକୁ ଥରେ ବିକ୍ରି କରିହେବ । ଏହି ଜମିର ଏକାଧିକ ମାଲିକ ଥିଲେ ବି କିଛି ସମସ୍ୟା ହେବନି । କିନ୍ତୁ ଏହି ଜମି କୌଣସି ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହେବନି । ଅର୍ଥାତ୍ ପ୍ଲଟିଂ ସ୍କିମ୍ ପାଇଁ ଲାଗୁ ହେବନି । କିନ୍ତୁ ଏବେ ସବ୍ ରେଜିଷ୍ଟ୍ରାରମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ ଯେଉଁ ଜମି ବିକ୍ରି ହେବ ତାହା ପ୍ରଥମ ଥର ବିକ୍ରି ହେଉଛି କି କେତେ ଥର ବିକ୍ରି ହେଲାଣି ତାହା ଜାଣିବେ କେମିତି । ଯେଉଁ ଜମି ବିକ୍ରି ହେବ ସେଥିରେ କେତେ
ବର୍ଗଫୁଟର ରାସ୍ତା ରହିବ । ସହରାଞ୍ଚଳରେ ୩୦ଫୁଟ ରାସ୍ତା ବାଧ୍ୟତାମୂଳକ କରାଯାଇଥିବାବେଳେ ରାଜସ୍ୱ ବିଭାଗ ୨୦ଫୁଟ ରାସ୍ତା ଥିଲେ ବି ପଞ୍ଜୀକରଣ
କରିବାକୁ ଅନୁମତି ଦେଉଛି । ଏହିପରି ଅନେକ ଦ୍ୱନ୍ଦ୍ୱ ଏବେ ଅଧିକାରୀଙ୍କୁ ଘାରିଛି ।
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସବ୍ ପ୍ଲଟ୍ ପଞ୍ଜୀକରଣ ନେଇ ସବ୍ରେଜିଷ୍ଟ୍ରାର, ଡିଏସ୍ଆରମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନଙ୍କ ପାଇଁ
ଖୁବ୍ଶୀଘ୍ର ଆସନ୍ତା ମାସରେ ଏକ କର୍ମଶାଳା ଆୟୋଜନ ହେବ । ଏହି ଦୁଇ ଦିନିଆ କର୍ମଶାଳାରେ ସେମାନଙ୍କର ବିଭିନ୍ନ ଦ୍ୱନ୍ଦ୍ୱକୁ ଦୂର କରାଯିବ । ଏହାପରେ ସବ୍ ପ୍ଲଟ୍ ପଞ୍ଜୀକରଣ ନେଇ ସମସ୍ୟା ଦୂର ହୋଇଯିବ । ପାର୍ଟ ପ୍ଲଟ ବିକ୍ରି ହେଉନଥାବୁର ସାଧାରଣ ଜନତା ହଇରାଣ ହେଉଛନ୍ତି । ରାଜ୍ୟ ସରକାର ଆଳରେ ଦିନ ଗଡାଇ ଗଡାଇ ଚାଲିଛନ୍ତି । ତେଣୁ ରାଜସ୍ୱ ମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି