ଯୋଡ଼ା, ୩୦ ଜୁନ୍ (ହି.ସ.)- ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅଧିନସ୍ଥ ବଲାଣି ଖଣିର ସାମଗ୍ରୀ ପ୍ରବନ୍ଧନ ବିଭାଗ ଅଧୀନରେ ଥିବା ଫିଲିଙ୍ଗ ଷ୍ଟେସନକୁ ସମ୍ପୂର୍ଣ୍ଣ ଭାବେ ପୁନରୁଦ୍ଧାର କରାଯାଇ ସୋମବାର ଉଦଘାଟନ କରାଯାଇଛି। ସିଭିଲ ବିଭାଗ ଦ୍ଵାରା ପ୍ରାୟ ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ନବନିର୍ମିତ କାର୍ଯ୍ୟାଳୟ ଗୃହରେ ଥିବା ଉଦ୍ଘାଟନୀ ଫଳକକୁ ଅନାବରଣ କରି ଏହାକୁ ଖଣି ପ୍ରତି ସମର୍ପିତ କରିଥିଲେ ।
ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଚଟ୍ଟୋପାଧ୍ୟାୟ କହିଥିଲେ ଯେ ଖଣି କାର୍ଯ୍ୟରେ ଫିଲିଙ୍ଗ ଷ୍ଟେସନର ଗୁରୁତ୍ୱ ଓ ସୁରକ୍ଷାକୁ ଆଖି ଆଗରେ ରଖି ଏହି ପୁନରୁଦ୍ଧାର କାର୍ଯ୍ୟକୁ ହାତକୁ ନିଆଯାଇଥିଲା। ପରବର୍ତ୍ତୀ ଦିନରେ ଏହି ଫିଲିଙ୍ଗ ଷ୍ଟେସନର ଖଣି ଚଳାଚଳ ଓ ଲୋଜିଷ୍ଟିକ୍ସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହି ପୁନରୁଦ୍ଧାର କାର୍ଯ୍ୟ ଅନ୍ତର୍ଗତ ନୂତନ କାର୍ଯ୍ୟାଳୟ ଗୃହ, ମହିଳା ଓ ପୁରୁଷଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ ସୁବିଧା, ସୁରକ୍ଷା ପାଚିରୀ ପ୍ରମୁଖ ନିର୍ମାଣ କରାଯାଇଛି। ଏହା ଦ୍ୱାରା କର୍ମଚାରୀଙ୍କ ଦୈନନ୍ଦିନ କାର୍ଯ୍ୟ ସୁବିଧାଜନକ ହେବା ସହ ସୁରକ୍ଷା ମାନଦଣ୍ଡ ବୃଦ୍ଧି ପାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାର୍ମିକ ବିଭାଗର ମୁଖ୍ୟ ଭି.କେଭିନ ଘୋଷ, ମେକାନିକାଲ ଓ ପ୍ଲାଣ୍ଟ ବିଭାଗ ମୁଖ୍ୟ ବୁଦ୍ଧଦେବ ନାଏକ, ପ୍ଲାଣ୍ଟ ବିଭାଗର ମହାପ୍ରବନ୍ଧକ ସୌମେନ୍ଦ୍ର ପଟ୍ଟନାୟକ, ବିତ୍ତ ବିଭାଗ ମୁଖ୍ୟ ସୁବାଷ ସାହୁ, ସିଭିଲ ବିଭାଗ ମୁଖ୍ୟ ଉମେଶ ପ୍ରସାଦ, ଉପମୁଖ୍ୟ ସଂଜୀବ କୁମାର ଓ ସାମଗ୍ରୀ ପ୍ରବନ୍ଧନ ବିଭାଗର ମୁଖ୍ୟ ରାଜେନ୍ଦ୍ର ନାରାୟଣ ସାହୁ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଠିକା କର୍ମଚାରୀ ଉପସ୍ଥିତ ଥିଲେ।
ଏହି ପୁନରୁଦ୍ଧାର କାର୍ଯ୍ୟ ମାଧ୍ୟମରେ ଏକ ଆଧୁନିକ ଓ ସୁରକ୍ଷିତ ପରିବେଶରେ ଫିଲିଂ ଷ୍ଟେସନ୍ ପୁନଃଚାଳିତ ହେବା ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା ଖଣିର ଦୈନନ୍ଦିନ କାର୍ଯ୍ୟ ସଞ୍ଚାଳନକୁ ଅଧିକ କ୍ଷମତାଶୀଳ କରିବ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ