ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓଡିଶାକୁ ଏକ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି । ରଥଯାତ୍ରା ପାଇଁ ବହୁ ବଡ ବଡ ସରକାରୀ କର୍ମଚାରୀ, ବହୁ ସଂଖ୍ୟକ ବଡ ବଡ ପୁଲିସ୍ ଅଫିସର ଦାୟିତ୍ୱରେ ଥିଲେ । କିନ୍ତୁ ଲୋକଙ୍କ ପ୍ରତିକ୍ରିୟାକୁ ଶିଥିଳ କରିବାପାଇଁ ଜିଲ୍ଲାପାଳ ଓ ଏସ.ପି.ଙ୍କୁ ବଦଳି ଓ ଦୁଇଜଣ ପୁଲିସ୍ ଅଫିସରଙ୍କୁ ସସ୍ପେଣ୍ଡ କରାଗଲା । ଏତତ୍ ବ୍ୟତୀତ ମୃତ ବ୍ୟକ୍ତିମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଗଲା । ଏହାଦ୍ୱାରା କ’ଣ ଓଡିଶାର ଅସ୍ମିତା ପ୍ରତିପାଦିତ ହେଲା ନା ରଥଯାତ୍ରାର ବିଶୃଙ୍ଖଳା ଦୂର ହୋଇଗଲା? ବିଶୃଙ୍ଖଳାର ମୂଳ କାରଣ ନ’ଖୋଜି ଲୋକଙ୍କ ଆକ୍ରୋଶରୁ ବର୍ତିବା ପାଇଁ ଦୁଇଜଣଙ୍କୁ ବଦଳି ଓ ଦୁଇ ଜଣକୁ ନିଲମ୍ବନ କରାଗଲା ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି।
ହଜାର ହଜାର ଶ୍ରଦ୍ଧାଳୁ ଭୁବନେଶ୍ୱର, କଟକ ଓ ପାଖ ଅଂଚଳରୁ ରାତିରେ ପୁରୀ ଆସିଲେ । ଏ ଖବର କ’ଣ ପୁଲିସ ପାଖରେ ନ’ଥିଲା? ଆଗକୁ କ’ଣ କରାଯିବ, ସେ ବିଷୟ ସେମାନେ ଚିନ୍ତା କାହିଁ କଲେନାହିଁ? ତା’ ଆଗରୁ ରଥଟଣା ନ’ହେବା ଫଳରେ ଲକ୍ଷ ଲକ୍ଷ ଲୋକ ରଥଟଣା ପାଇଁ ଅପେକ୍ଷା କରି ରହିଥିଲେ, ତେଣୁ ଲୋକ ସଂଖ୍ୟା ବଢିଲା । ଏସବୁକୁ ଆକଳନ କରି ପ୍ରଶାସନ ତରଫରୁ ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ରାତି ୧୨.୩୫ ବେଳକୁ ରଥାରୁଢ ଠାକୁରଙ୍କ ପହଡ ପକାଇ ଦିଆଗଲା । ପ୍ରଶାସନ ଜାଣିଲା ଯଦି ଯେ ବହୁଲୋକଙ୍କର ସମାଗମ ହେଉଛି, ପହଡ ୩ .୪୫ ପର୍ଯ୍ୟନ୍ତ କାହିଁକି ରଖାଗଲା? ଯାହାଫଳରେ ଶ୍ରଦ୍ଧାଳୁ ବହୁ ସମୟ ଅପେକ୍ଷା କରି ରହିଥିଲେ । ଯଦି ପହଡ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ କରାଯାଇଥାନ୍ତା, ତା’ ହେଲେ ବହୁ ଭକ୍ତ ଦର୍ଶନ କରି ଫେରିଯାଇଥାନ୍ତେ । ନଚେତ ଠିଆ ପହଡ କରିଥିଲେ ମଧ୍ୟ ଦର୍ଶନ ସାରି ଶ୍ରଦ୍ଧାଳୁ ଫେରିଯାଇଥାନ୍ତେ। ସେହିପରି ଜନସମାଗମକୁ ଆକଳନ କରି ରଥ ପାଖରେ ବ୍ୟାରିକେଡ୍ ଓ ଶୃଙ୍ଖଳାର ବ୍ୟବସ୍ଥା କରିଥାନ୍ତେ, ତା’ ମଧ୍ୟ କରାଗଲା ନାହିଁ । ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ରଥ କଡରେ ଆଗକୁ ଯାଇ ନାକଚଣା ଦ୍ୱାର ପାଖରେ ବୁଲନ୍ତି ଓ ବଳଭଦ୍ର, ସୁଭଦ୍ରା ରଥ ଦର୍ଶନ କରି ଫେରନ୍ତି । ଏ ବର୍ଷ ନାକଚଣା ଦ୍ୱାର ପାଖରେ କାହା ସ୍ୱାର୍ଥରେ ଅବରୋଧ କରାଗଲା? ସେହିପରି ରାତିରେ ପୁରୀ ଯାଉଥିବା ଅଧିକାଂଶ ଶ୍ରଦ୍ଧାଳୁ ମହୋଦଧି ବାଲିରେ ଯାଇ ଆଶ୍ରୟ ନିଅନ୍ତି । ଏ ବର୍ଷ ସେଠାରେ ପଲ୍ଲିଶ୍ରୀ ମେଳା ଓ ଦୋକାନ ବଜାର ଅଧିକ ବସାଇବାରୁ ସବୁ ଭକ୍ତ ବାଧ୍ୟ ହୋଇ ଶରଧାବାଲିରେ ଜମା ହେଲେ । ଏ ଦୂର ଦୃଷ୍ଟି ହୀନ ନିଷ୍ପତି କିଏ ନେଲା?
କୁହାଯାଉଛି ଅନ୍ୟବର୍ଷ ତୁଳନାରେ ଏବର୍ଷ ବହୁ କଡନ ପାସ୍ ଦିଆଯାଉଛି । ତାକୁ ମଧ୍ୟ ନିୟନ୍ତ୍ରଣ ରଖାଗଲା ନାହିଁ । ଏସବୁର ସତ୍ୟାସତ ଜାଣିବା ପାଇଁ ଓ ନିରାକରଣର ଉପାୟ ଅବଲମ୍ବନ କରିବାପାଇଁ ବିଚାର ବିଭାଗୀୟ ତଦନ୍ତ ଏକ ସାହସିକ ପଦକ୍ଷେପ । କିନ୍ତୁ କାହିଁକି କେଜାଣି ସରକାର ନିଜ କର୍ମଚାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି । ଗତ ବର୍ଷ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାର ତଦନ୍ତ ସରିନାହିଁ ଓ କାର୍ଯାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ । ଏଥର ମଧ୍ୟ ସେହିପରି ହବ ନାହିଁ ତ? ଏ ରଥଯାତ୍ରାର କୁପରିଚାଳନାରୁ ହୃଦବୋଧ ହେଉଛି, ସରକାର ଏ ଭିଡକୁ ହାଲକା ଭାବରେ ନେଇଛନ୍ତି । ଆଗକୁ ବାହୁଡାଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜୟ । ସରକାର ଏବେଠୁଁ ସତର୍କ ଓ ଜଗନ୍ନାଥଙ୍କ ପାଖରେ ସମର୍ପିତ ନ’ହେଲେ ରାଜ୍ୟବାସୀଙ୍କର ଅଧିକ କ୍ଷତି ଆଶଂକାକୁ ଏଡି ହେବ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା