ଚମ୍ପୁଆ, ୦୪ ଜୁନ୍ (ହି.ସ.) - ଚମ୍ପୁଆ ବ୍ଲକରେ ବିଭାଗୀୟ କାର୍ଯ୍ୟାଦେଶ ରେ ହେଉଥିବା କାର୍ଯ୍ୟ ଗୁଡ଼ିକ ଅସାଧୁ ଅଧିକାରୀ ଙ୍କ ପାଇଁ ଅର୍ଥ ଉପାର୍ଜନର ଜରିଆ ପାଲଟିଛି । ଏଥିରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଠିକ୍ ଭାବେ ତଦାରଖ ଓ କାର୍ଯ୍ୟକାରୀ କରାଯାଉ ନ ଥିବାରୁ କାର୍ଯ୍ୟ ଗୁଡ଼ିକ ନିମ୍ନ ମାନର ହେବା ସହ ସରକାରୀ ଅନୁଦାନ ବାଟମାରଣା ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ସୁନାପଶି ପଂଚାୟତରେ । ଗତ ୨୦୨୩- ୨୪ ଆର୍ôଥକ ବର୍ଷରେ ବିଭାଗୀୟ କାର୍ଯ୍ୟାଦେଶ ରେ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ସୁନାପଶି ଶିବ ମନ୍ଦିର ପ୍ରାଙ୍ଗଣ ରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ନଅ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ତେବେ ଏହି ଅନୁଦାନ ଅର୍ଥରେ ମନ୍ଦିର ପରିସର ରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନ କରି ଦୀର୍ଘ ଦିନରୁ ଅଧପନ୍ତରିଆ ଭାବେ ପଡ଼ିଥିବା ମନ୍ଦିର କାର୍ଯ୍ୟକୁ ଜେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଅନୁଦାନ ଅର୍ଥକୁ ହଡପ କରିବାକୁ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଯୋଜନା କରାଯାଇ ଥିଲା । ପୂର୍ବରୁ ମନ୍ଦିରର ଛାତ ପଡ଼ିସାରିଥିବା ବେଳେ କେବଳ ଚଟାଣ ରେ ଟାଇଲ୍ସ ପକାଇବା ସହିତ ମନ୍ଦିର ର ଦଧିନଉତି ନିର୍ମାଣ ବାକି ରହିଥିଲା । ତେବେ ଅନୁଦାନ ଅର୍ଥର କୌଣସି ପ୍ରକାର ତଦାରଖ ନ ହେବାର ସୁଯୋଗ ନେଇ ଠିକାଦାର ଜଣକ ଯେନତେନ ପ୍ରକାରେ ମନ୍ଦିରର ବାକିକାମକୁ ସାରିଦେଇ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ। ଗ୍ରାମବାସୀ ଗତ ଶିବ ଜାଗର ଅବସରରେ ମହା ଆଡମ୍ବରରେ ମନ୍ଦିର ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ। ହେଲେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ପାଇଁ ମନ୍ଦିର ପ୍ରତିଷ୍ଠା ହେବାର ମାସ କେଇଟା ନ ପୁରୁଣୁ ମନ୍ଦିର ଦଧିନଉତି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ମନ୍ଦିର ର ଦଧିନଉତି ଭାଙ୍ଗି ପଡିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇ ମନ୍ଦିର ଦଧିନଉତି ଭାଙ୍ଗିବା ନେଇ ଗ୍ରାମବାସୀ କହିଛନ୍ତି । ତରବରିଆ ଭାବେ ମନ୍ଦିର କାମ କୁ ଅତି ନିମ୍ନମାନର କରି ଅନୁଦାନ ଟଙ୍କାକୁ ବିଧିବଦ୍ଧ ଭାବେ ହଡପ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପୁଞ୍ଜିଭୁତ ହେବାରେ ଲାଗିଛି। ଏହି କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta