ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନୋଟସିଟ ରାଜ୍ୟ ସରକାରଙ୍କ ବିଫଳତାର ଏକ ସ୍ୱୀକାରୋକ୍ତି: ବିଜେଡି
-ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିଦେ୍ର୍ଦଶକ ସ୍ତରରେ ଅହେତୁକ ବିଳମ୍ୱ -ବିଫଳତା ସାମ୍ନାକୁ ଆସିବା ପରେ ସଫଳତା ଉତ୍ସବ ପାଳନକୁ ବାତିଲ କର -ଉତ୍ସବରେ ରାଜକୋଷରୁ ଖର୍ଚ୍ଚ ହେବାକୁ ଥିବା ଅର୍ଥରେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କର ଭୁବନେଶ୍ଵର 4 ଜୁନ୍ (ହି.ସ.)ରାଜ୍ୟରେ ବିଜେପି ସରକାରଙ୍କ ବ
ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନୋଟସିଟ ରାଜ୍ୟ ସରକାରଙ୍କ ବିଫଳତାର ଏକ ସ୍ୱୀକାରୋକ୍ତି: ବିଜେଡି


-ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିଦେ୍ର୍ଦଶକ ସ୍ତରରେ ଅହେତୁକ ବିଳମ୍ୱ

-ବିଫଳତା ସାମ୍ନାକୁ ଆସିବା ପରେ ସଫଳତା ଉତ୍ସବ ପାଳନକୁ ବାତିଲ କର

-ଉତ୍ସବରେ ରାଜକୋଷରୁ ଖର୍ଚ୍ଚ ହେବାକୁ ଥିବା ଅର୍ଥରେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କର

ଭୁବନେଶ୍ଵର 4 ଜୁନ୍ (ହି.ସ.)ରାଜ୍ୟରେ ବିଜେପି ସରକାରଙ୍କ ବିଫଳତାର ପ୍ରମାଣ ସ୍ୱରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦସ୍ତଖତ ଥିବା ଏକ ନୋଟସିଟ ରେ ଥିବା ତଥ୍ୟକୁ ଦର୍ଶାଇ ବିଜୁ ଜନତା ଦଳ ଆଜି ସରକାରଙ୍କୁ ଘେରିଛି । ନୋଟସିଟ ମାଧ୍ୟମରେ, ସରକାରଙ୍କ ବିଫଳତା ପଦାକୁ ଆସିବା ପରେ, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ ଉତ୍ସବ ପାଳନ ଆୟୋଜନ କରାଯିବା ପ୍ରସ୍ତାବକୁ ବିଜୁ ଜନତା ଦଳ ନାପସନ୍ଦ କରିଛି । ଉତ୍ସବ ପାଳନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ରାଜ୍ୟବାସୀଙ୍କ କଲ୍ୟାଣ କାର୍ଯ୍ୟରେ ଲଗାଯାଉ ବୋଲି ବିଜୁ ଜନତା ଦଳ ଦାବୀ କରିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଥିଲେ, ଗତବର୍ଷ ଆଜିର ଦିନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ତେଣୁ ବସ୍ତୁତ, ବିଜେପି କ୍ଷମତାକୁ ଆସିବା ଏକ ବର୍ଷ ପୂରଣ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଏକ ବର୍ଷରେ ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ବିଜେଡି ଆପଣମାନଙ୍କ ଆଗରେ ଉପସ୍ଥାପନ କରି ଆସୁଛୁ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏହି ନୋଟସିଟ ବିଜେପି ସରକାରଙ୍କ ବିଫଳତାର ଏକ ସ୍ୱୀକାରୋକ୍ତି ଭାବେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦସ୍ତଖତ ଥିବା ଏହି ନୋଟସିଟରେ, ଫାଇଲ ଗୁଡିକ ଅନେକ ସମୟ ଧରି ପଡ଼ି ରହୁଛି ଓ ଏଥିଯୋଗୁ ବଜେଟରେ ପ୍ରାବଧାନ କରା ଯାଇଥିବା ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ ବୋଲି କୁହା ଯାଇଛି । ଏଥି ଯୋଗୁ ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ନକରାତ୍ମକ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ଫାଇଲ ଗୁଡିକ ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିଦେ୍ର୍ଦଶକଙ୍କ ସ୍ତରରେ ଏହି ବିଳମ୍ୱ ଘଟୁଛି ବୋଲି କୁହାଯାଇଛି ।

ଡ଼ଃ ମହାନ୍ତି କହିଥିଲେ, ସରକାରଙ୍କ ବିଫଳତା ବିଷୟରେ ଗୋଟିଏ ଦାୟିତ୍ୱସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ଆମେ କହି ଆସିଥିଲୁ । ବିଜେପି ସରକାର ତାଙ୍କ ଏକ ବର୍ଷର ସଫଳତାକୁ ନେଇ ରାଜ୍ୟବ୍ୟାପି ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆମର ପ୍ରଶ୍ନ ହେଉଛି ଯେ, ଆଜିର ନୋଟସଟି ସରକାରଙ୍କ ବିଫଳତା କଥାକୁ ବଖାଣୁ ଥିବାବେଳେ, ରାଜ୍ୟ ସରକାର କେଉଁ ସଫଳତାକୁ ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉତ୍ସବ ପାଳନ କରିବାକୁ ଯାଉଛନ୍ତି? ରାଜ୍ୟ ସରକାରଙ୍କ ଏହି ଉତ୍ସବ ପାଳନ କେବଳ ନିଜ ପ୍ରଚାର ପାଇଁ ଉଦିଷ୍ଟ । ରାଜ୍ୟବାସୀଙ୍କୁ, ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ, ପୂର୍ବ ସରକାରଙ୍କ ନାଁରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା । ଆଜି ନିଜ ବିଫଳତାକୁ ଲୁଚାଇବା ପାଇଁ ସଫଳତା ବଖାଣିବା ନାଁରେ ଉତ୍ସବ ପାଳନର ଆୟୋଜନ କରୁଛି । ତେଣୁ, ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନରେ, ଏହି ଉତ୍ସବ ପାଳନ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ବିଜୁ ଜନତା ଦଳ ଦାବୀ କରୁଛି । ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ନିଜର ପ୍ରଚାର କରି ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଇବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ଡ଼ଃ ମହାନ୍ତି କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande