ମୁଖୀଗୁଡା,୪ଜୁନ୍ (ହି.ସ.) - ଉପର ଇନ୍ଦ୍ରାବତୀ ପ୍ରକଳ୍ପର ମୁଖୀଗୁଡା-ମହୁଳପାଟଣା ଘାଟି ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଦୈନିକ ଶହ ବଡ଼ ଟ୍ରକ ଯାତାୟାତ କରୁଛି। ରାସ୍ତା ସଂକୀର୍ଣ୍ଣ ହେବା ସହ ବଡ଼ ବଡ଼ ଖାଲଖମା ଭର୍ତି ହେବା ଫଳରେ ଯିବା ଆସିବା କରୁଥିବା ଲୋକେ ବହୁ ସମସ୍ୟାର ସମ୍ଭୁଖିନ ହେଉଛନ୍ତି। ମୁଖୀଗୁଡା ଠାରୁ ମହୁଳପଟଣା ପର୍ଯ୍ୟନ୍ତ ଦୀର୍ଘ ୧୫ କିମି ଘାଟି ରାସ୍ତା ପାହାଡ଼ କାଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ବେଳେ ନିର୍ମାଣ କରାଯାଇଥିଲା ।ଏହି ରାସ୍ତା ଦେଇ ଉପରେ ଥିବା ଭାଲବ ହାଉସ,, ଜଳଭଣ୍ଡାରର ଇନଟେକ ଙ୍କୁ ବିଭାଗୀୟ ଅଧିକାରୀ ମାନେ ଯିବା ଆସିବା କରନ୍ତି,କିନ୍ତୁ ୨୦୧୮ ମସିହାରେ କିଛି ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଛାଡିଦେଲେ ଦୀର୍ଘ ବର୍ଷ ହେଲା ଏହାର ମରାମତି କାର୍ଯ୍ୟ ହେଉନାହିଁ।ଅନ୍ୟ କାର୍ଯ୍ୟ ଗୁଡ଼ିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି ରାସ୍ତା ରେ ବାଲି ମୁଠାଏ ପଡ଼ିନାହିଁ।ଏହି ରାସ୍ତା କଳାହାଣ୍ଡି ଓ ନବରଙ୍ଗପୁରକୁ ସଂଯୋଗ କରୁଥିବା ବେଳେ ଥୁଆମୁଲରାମପୁର ବ୍ଳକର ଲୋକେ ଏହି ରାସ୍ତା ଦେଇ ଜୟପାଟଣା,ଭବାନୀପାଟଣା, ଜୁନାଗଡ଼, କୋକସରା ବ୍ଳକ କୁ ଯାଇଥାନ୍ତି ଓ ଜୟପାଟଣା ବ୍ଳକର ଲୋକେ ମଧ୍ୟ ଅନ୍ୟ ଅଂଚଳକୁ ଯାଇଥାନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ରାସ୍ତା ଇନ୍ଦ୍ରାବତୀ ବିସ୍ଥାପିତ ମାନଙ୍କ ର ମୁଖ୍ୟ ରାସ୍ତା,ଜଳ ଭଣ୍ଡାର ଭିତରୁ ଯେଉଁ ଗାଁ ମାନଙ୍କୁ ଉଠାଯାଇଥିଲା ସେମାନେ ବର୍ତମାନ ପାହାଡ଼ ଉଚ୍ଚ ଅଂଚଳରେ ବସବାସ କରୁଛନ୍ତି।ସେମାନେ ମହୁଳପାଟଣା ଦେଇ ଇନ୍ଦ୍ରାବତୀ ଘାଟି ରାସ୍ତା ରେ ମୁଖୀଗୁଡା କୁ ବିଭିନ୍ନ କାମ ପାଇଁ ଆସନ୍ତି। ଅନ୍ୟପକ୍ଷରେ ବର୍ଷର ଅନେକ ସମୟ ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀମାନେ ଷ୍ଟଡିଟୁରରେ ଇନ୍ଦ୍ରାବତୀ ପ୍ରକଳ୍ପକୁ ଆସିଥାନ୍ତି।ନୂଆବର୍ଷରେ ଇନ୍ଦ୍ରାବତୀ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଇଲାକାରେ ଏକ ପିକିନିକ ଷ୍ପଟ ହୋଇଯାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଲୋକେ ନୂଆବର୍ଷ ରେ ଏହି ସ୍ଥାନ କୁ ଆସିଥାନ୍ତି।କିନ୍ତୁ ରାସ୍ତାଘାଟ ଶୋଚନୀୟ ସହ ପ୍ରକଳ୍ପ ଅଂଚଳରେ କିଛି ସୁବିଧା ଆଉ ବ୍ୟବସ୍ଥା ନାହିଁ।ଯାହାକୁ ନେଇ ଅନେକ ଲୋକ କ୍ଷୋଭ ପ୍ରକାଶ କରିବା ସହ ଏହି ଅଂଚଳର ଉନ୍ନତିକରଣ ପାଇଁ ଦାବି କରିଛନ୍ତି । ପ୍ରକଳ୍ପର ପାରିପାର୍ଶ୍ୱିକ ଅଂଚଳରେ ବିକାଶ କରିବା ପାଇଁ ପ୍ରକଳ୍ପ ସ୍ଥାପନ ବେଳେ ସ୍ୱତନ୍ତ୍ର ନିୟମ ରହିଥିଲା କିନ୍ତୁ ବିଶ୍ୱ ଦରବାରରେ ପରିଚିତ ଇନ୍ଦ୍ରାବତୀ ପ୍ରକଳ୍ପର ପାରିପାର୍ଶ୍ୱିକ ଅଂଚଳ କେତେ ବିକାଶ ହୋଇଛି ତାହା ଏହି ଦୃଶ୍ୟ ପ୍ରମାଣ କରୁଛି। ଏ ସମ୍ପର୍କରେ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଏସଡିଓ ଡ୍ୟାମ ସର୍କଲ ବି. ସୋରେନଙ୍କୁ ପଚାରିବାରୁ ସେ ଉକ୍ତ ରାସ୍ତା ପାଇଁ ଡିପିଆର ପଠା ଯାଇଛି ତାହା ଆନୁମୋଦନ ପ୍ରାପ୍ତ ପରେ କାମ ହେବ ବୋଲି କହିଛନ୍ତି।ବିଭାଗୀୟ ଅଧିକାରୀ ଓ ସରକାରୀ ସ୍ତରରେ ଉଦାସୀନତା ଯୋଗୁଁ ଇନ୍ଦ୍ରାବତୀ ଅଂଚଳ ବିକଶିତ ଦିଗରେ ବାଧା ସୃଷ୍ଟି ହେଉଛି।ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରି ଏହି ଅଂଚଳରେ ବିଭିନ୍ନ ପ୍ରକାର ଭିତିଭୂମିର ବିକାଶ କରିବା ପାଇଁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର/ନିହାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |