ଭୁବନେଶ୍ୱର, ୦୫ ଜୁନ (ହି.ସ.)-ଚଳିତ ବର୍ଷ ମୌସୁମୀ ବର୍ଷା ଆସିବା ପୂର୍ବରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁରୁଣା ଭୁବନେଶ୍ୱରର ଜଳମଗ୍ନ ହେଉଥିବା ବିଭିନ୍ନ ଅଂଚଳକୁ ବିଭାଗୀୟ ଅଧିକାରୀଙ୍କ ସହ ବୁଲି ଦେଖିବା ସହ ଜାରି ରହିଥିବା ଡ୍ରେନ୍ ସଫେଇ ଓ ବକ୍ସ ଡ୍ରେନ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ଜଳମଗ୍ନ ହେଉଥିବା ଅଂଚଳ ଗୁଡ଼ିକୁ ପରିଦର୍ଶନ କରି ଡ୍ରେନେଜ୍ ସ୍ଥିତି ଅନୁଧ୍ୟାନ କରିବା ସହ ଜାରି ରହିଥିବା ଡ୍ରେନ୍ ସଫେଇ ଓ ବକ୍ସ ଡ୍ରେନ୍ କାର୍ଯ୍ୟର ସମୀକ୍ଷା କଲି ଏବଂ ସେଗୁଡିକୁ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲି । ମନ୍ଦିରର ଚତୁପାର୍ଶ୍ୱ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହ କଥା ହୋଇ ସ୍ଥାନୀୟ ସମସ୍ୟା ସମ୍ପର୍କ ରେ ସ୍ଥିତି ଅନୁଧ୍ୟାନ କରିଲୁ। ମନ୍ଦିର ବ୍ୟତୀତ ଏହାର ଆଖପାଖ ଡ୍ରେନ୍ ସମସ୍ୟାର ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ପ୍ରୟାସ ଆରମ୍ଭ କରିଲୁ।ଏକାମ୍ର କ୍ଷେତ୍ର ଭାବରେ ଜଣାଶୁଣା ପୁରୁଣା ଭୁବନେଶ୍ୱର ମାଳ ମାଳ ମନ୍ଦିର ସହ ପବିତ୍ର ପୁଷ୍କରିଣୀ, ନିଆରା ପରମ୍ପରା ଓ ସଂସ୍କୃତି ଏବଂ ଐତିହ୍ୟ ସମ୍ପନ୍ନ ସହର। ସେଥିପାଇଁ ଆମେ ଏହି ଅଞ୍ଚଳର ଐତିହ୍ୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଅବିରତ ଉଦ୍ୟମ କରି ଆସିଛୁ ଓ ଆଗକୁ ମଧ୍ୟ କରିବୁ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା