ଭବାନୀପାଟଣା, ୫ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୋଲବ ବସ ଭବାନୀପାଟଣାରୁ ହାଇଦ୍ରାବାଦକୁ ଚାଲିବା ଆରମ୍ଭ ହୋଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଓଡିଶା ରାଜ୍ୟ ପରିବହନ ନିଗମ ଦ୍ୱାରା ଏହି ବସ ସେବା ଯୋଗାଇ ଦିଆଯାଇଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସର ଯାତ୍ରା ଆରମ୍ଭ ଉତ୍ସବକୁ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଗତକାଲି ଅପରାହ୍ମ ୪ଟା୩୦ ମିନଟରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତଃ ଘଟାଇ ଜିଲ୍ଲା ପାଇଁ ଏହି ବସ ସେବା ଖୁବ ଫଳପ୍ରଦ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମସ୍ତେ ପ୍ରସଂଶା କରିଛନ୍ତି। ଅତ୍ୟାଧୁନିକ ବ୍ୟବସ୍ଥା ଏବଂ ଭରପୁର ସୁବିଧା ଥିବା ଏହି ବସ୍ ସେବା ଚଳାଚଳକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଏହି ବସ ଚଳାଚଳର ଶୁଭ ଉଦଘାଟନ ଅବସରରେ ଭବାନୀପାଟଣା ନୂଆ ବସଷ୍ଟାଣ୍ଡଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସଡକ ପରିବହନ ଅଧିକାରୀ ଗତି କୃଷ୍ଣ ସାମନ୍ତରାୟ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ପରିବହନ ନିଗମର ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ିପୋ ଇନଚାର୍ଜ ଶ୍ୱାସତ ପ୍ରଧାନ, କ୍ଲଷ୍ଟର ହେଡ ବିଶ୍ୱଜିତ ପଣ୍ଡା ଏବଂ ସମସ୍ତ ବ୍ଲକର ସୁପରଭାଇଜର ଓ ଅଫିସ ଷ୍ଟାଫ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ସ୍ୱତନ୍ତ୍ର ସୁବିଧା ଥିବା ବସ ରେ ୪୨ଗୋଟି ସିଟ ଥିବା ବେଳେ ପ୍ରଥମ ଦିନରେ ୨୨ଜଣ ଯାତ୍ରୀ ହାଇଦ୍ରାବାଦ ଯାତ୍ରା କରିଛନ୍ତି। ପୁରୁଷଙ୍କ ପାଇଁ ତିକଟର ମୂଲ୍ୟ ୧୬୭୫ ଟଙ୍କା ଥିବାବେଳେ ମହିଳାଙ୍କ ପାଇଁ ୮୭୫ଟଙ୍କା। ବସଟି ଭବାନୀପାଟଣାରୁ ସନ୍ଧ୍ୟା ୫ଟାରେ ଛାଡିବ ଏବଂ ପରଦିନ ସକାଳ ୫ଟା ୪୫ରେ ହାଇଦ୍ରାବାଦ ରେ ପହଁଚିବା ବୋଲି ଜଣାଯାଇଛି। ସୂଚନାଯୋଗ୍ୟଯେ, ଗତକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଭରଚୁଆଲ ମାଧ୍ୟମରେ ଅନ୍ୟ ପ୍ରକଳ୍ପ ଗୁଡିକ ସମେତ ବସ ସେବାର ମଧ୍ୟ ଶୁଭ ଉଦଘାଟନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡ଼ି ଡ଼ି ପ୍ଲାନିଂ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ