ସୁବର୍ଣ୍ଣପୁର, 5 ଜୁନ୍ (ହି.ସ.)ଜିଲ୍ଲା ର ସଦର ମହକୁମା ରେ ପ୍ରଥମ ଥର ପାଇଁ ଏକ ଅବସର ପ୍ରାପ୍ତ ସୈନିକ ସଂଘ ଗଠନ ହୋଇଯାଇଛି।ହାବିଲଦାର ପ୍ରମୋଦ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ବଡ଼ ଝିଙ୍କି ଠାରେ ଅବସର ପ୍ରାପ୍ତ ସୈନିକ ଓ ଅର୍ଦ୍ଧ ସୈନିକ ଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା।ଉକ୍ତ ବୈଠକରେ ୨୫ଜଣ ଅବସର ପ୍ରାପ୍ତ ସୈନିକ ଓ ଅର୍ଦ୍ଧ ସୈନିକ ଯୋଗଦେଇଥିଲେ। ସଂଘକୁ ପରିଚାଳନା କରିବା ନିମନ୍ତେ ସଦସ୍ୟ ମାନଙ୍କ ଭିତରେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସୁବେଦାର ଭୋଜରାଜ ଦଣ୍ଡସେନା ଙ୍କୁ ସଭାପତି ହାବିଲଦାର ବିକ୍ରମାଦିତ୍ୟ ମହାକୁଡ ଙ୍କୁ ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ସଞ୍ଜୟ କୁମାର ଷଡଙ୍ଗୀ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସଂଘ ଗଠନ ର ମୂଳ ଉଦ୍ଦେଶ୍ୟ ହେଲା ଆଗକୁ ଜିଲ୍ଲା ର ଅଧିକରୁ ଅଧିକ ଅବସର ପ୍ରାପ୍ତ ସୈନିକ ଙ୍କୁ ଯୋଡିବା ସହ ସମସ୍ତ ଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜିଲ୍ଲା ର ଯୁବବର୍ଗ ଙ୍କ ଭିତରେ ଦେଶମାତୃକାର ସେବାରେ ଅନୁପ୍ରାଣିତ କରିବା ତଥା ସମାଜର ସବୁ ବର୍ଗ ଙ୍କ ଉନ୍ନତି ପାଇଁ ଯଥା ସମ୍ଭବ ଚେଷ୍ଟିତ ହେବାପାଇଁ ନୂତନ ସଭାପତି ସୂଚନା ଦେଇଥିଲେ। ନବଗଠିତ ନୂତନ କର୍ମକର୍ତ୍ତା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା । ଶେଷରେ ସଭାପତି ସମସ୍ତ ସଭ୍ୟ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ