ଯୋଡା 5 ଜୁନ୍ (ହି.ସ.)- କେନ୍ଦୁଝର ଜିଲା ବଲାଣି ଖଣିର ବିଦ୍ୟୁତ ବିଭାଗର ଜଣେ ଠିକା କର୍ମଚାରୀ ବିଦ୍ୟୁତ ଖୁଣ୍ଟରୁ ପଡି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଠିକା କର୍ମଚାରୀ ବଳରାମ ଦାସ ବୋଲି ଜଣାପଡିଛି । ସୂଚନାନୁସାରେ ବଲାଣି ଖଣିର ପେଟ୍ରୋଲ ପମ୍ପରେ ନୂତନ ଭାବେ ନିର୍ମିତ କାର୍ଯ୍ୟାଳୟ ଗୃହକୁ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସହକର୍ମୀଙ୍କ କହିବା ଅନୁସାରେ ଅପରାହ୍ନ ରେ ପେଟ୍ରୋଲ ପମ୍ପ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବଳରାମ ଉପରୁ ତଳକୁ ଖସି ପଡ଼ିଥିଲେ । ତେବେ ତଳେ ଥିବା ସହକର୍ମୀ ତାଙ୍କୁ ଧରି ପକାଇବାରୁ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ବଲାଣି ଖଣି ଡାକ୍ତରଖାନା ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଡାକ୍ତର ଦଳ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷଣ କରି ବର୍ତ୍ତମାନ ସ୍ଥିତି ଠିକ ଥିବା ନେଇ କହିଛନ୍ତି । ଅନ୍ୟ ପକ୍ଷରେ ସହକର୍ମୀ ମାନେ କହିଛନ୍ତି ଯେ ସେ ଖୁଣ୍ଟକୁ ଚଢିବା ପରେ ଅସୁସ୍ଥତା କାରଣରୁ ତଳକୁ ଖସି ପଡିଥିବା ନେଇ ସନ୍ଦେହ କରିଛନ୍ତି । ତେବେ ଉକ୍ତ ଦୁର୍ଘଟଣା ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣା ନୁହେଁ ବୋଲି ସହକର୍ମୀ ସ୍ପଷ୍ଟ କରିଛନ୍ତି । ଖବର ପାଇବା ପରେ ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ, ଖଣି ସୁରକ୍ଷା ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଦୁର୍ଘଟଣା ଗ୍ରସ୍ତ ଠିକା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଦୁର୍ଘଟଣା ଘଟିବାର କାରଣ ସମ୍ଵନ୍ଧରେ ଅବଗତ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ