ଜୟପୁର, 5 ଜୁନ୍ (ହି.ସ.)ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ଜୟପୁର ରାଜ ନଅର ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ, ଜଳ ହିଁ ଜୀବନ, ପ୍ଲାଷ୍ଟିକ ବର୍ଜନ କରନ୍ତୁ,ପରିବେଶ ସୁରକ୍ଷିତ ରଖନ୍ତୁ ଆଦି ସ୍ଲୋଗାନ ଦେଇ ମଞ୍ଚ କାର୍ଯ୍ୟକର୍ତ୍ତା ସଚେତନତା ପ୍ରଦର୍ଶନ କରିଥିଲେ ।
ଏହା ସହ ମଞ୍ଚ ତାର ମୂଳ ଉଦେଶ୍ୟ ବିଦେଶୀ ବର୍ଜନ, ସ୍ବଦେଶୀ ଗ୍ରହଣର ବାର୍ତା ଦେଇ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ । ମଞ୍ଚର ରାଜ୍ୟ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ ଅନଲାଇନ ବଜାର (ଆମାଜନ ଫ୍ଲିପ କାର୍ଟ) ଆଦି କମ୍ପାନୀଙ୍କୁବହିଷ୍କାର କରି ସ୍ଥାନୀୟ ବଜାରରୁ ଜିନିଷ କିଣିବାପାଇଁ ଆହ୍ୱାନ ଦେଇଥିଲେ । ଯାଦ୍ୱାରା ସ୍ଥାନୀୟ ଲୋକ ସ୍ୱାବଲମ୍ବୀ ଏବଂ ସ୍ଵ ରୋଜଗରୀ ହୋଇପାରିବେ ଏବଂ ଆମ ଦେଶ ସମୃଦ୍ଧ ହୋଇପାରିବ । ସ୍ଥାନୀୟ ଜନସାଧାରଣଙ୍କ ସହ ଭାଗୀତାରେ ଏହି ଅଭିଯାନକୁ ତୁରାନ୍ବିତ କରାଯିବ ତଥା ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ମଞ୍ଚ ପକ୍ଷରୁ ଜଣା ଯାଇଛି ।
ଆଜିର ସଚେତନତା ପ୍ରଦର୍ଶନ କାର୍ଯ୍ୟକ୍ରମରେ ମଞ୍ଚର ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ଶତପଥି, ରବିନାରାୟଣ ମିଶ୍ର, ସୌମେନ୍ଦ୍ର ସ୍ୱାଇଁ, ମୁରଲୀଧର ଅଧିକାରୀ, ସୁଧାଂଶୁ ପଟନାୟକ, ସଦାଶିବ ତ୍ରିପାଠୀ, ପ୍ରଭାତ ବ୍ରହ୍ମା, କେଶବ ପଟନାୟକ, ପାର୍ଥ ସାରଥୀ ପଣ୍ଡା, ଡମ୍ବରୁଧର ପାଣିଗ୍ରାହୀ, ମନୋଜ ବେହେରା, ସୁରେନ୍ଦ୍ର ମସ୍ତି, ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି