ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଓଡ଼ିଆ ସାଂସ୍କୃତିକ ମହାଚେତନାର ମୂଳପିଣ୍ଡ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ନିରନ୍ତର ପ୍ରବହମାନ ଶ୍ରୀଜଗନ୍ନାଥ ପରମ୍ପରାକୁ ନେଇ ଓଡ଼ିଆ ଅସ୍ମିତା, ଅଧ୍ୟାତ୍ମ ଓ ଆତ୍ମପରିଚିତି ସାରା ବିଶ୍ୱରେ ସୁପ୍ରତିଷ୍ଠିତ । ମାନବବାଦର ଶ୍ରେଷ୍ଠ ପ୍ରତୀକ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ


ଭୁବନେଶ୍ୱର, ୦୫ ଜୁନ (ହି.ସ.)- ଓଡ଼ିଆ ସାଂସ୍କୃତିକ ମହାଚେତନାର ମୂଳପିଣ୍ଡ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ନିରନ୍ତର ପ୍ରବହମାନ ଶ୍ରୀଜଗନ୍ନାଥ ପରମ୍ପରାକୁ ନେଇ ଓଡ଼ିଆ ଅସ୍ମିତା, ଅଧ୍ୟାତ୍ମ ଓ ଆତ୍ମପରିଚିତି ସାରା ବିଶ୍ୱରେ ସୁପ୍ରତିଷ୍ଠିତ । ମାନବବାଦର ଶ୍ରେଷ୍ଠ ପ୍ରତୀକ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ପୁରୀକୁ ଛୁଟି ଆସନ୍ତି ଦେଶବିଦେଶର ଅଗଣିତ ଭକ୍ତ । ଏହି ମର୍ମରେ ଚଳିତ ବର୍ଷ ରଥଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ।

ଲୋକସମ୍ପର୍କ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆସନ୍ତା ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଗତବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସହରର ପ୍ରମୁଖ ସ୍ଥାନ ଯଥା, ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷବୋଷ ଛକ, ପାନ୍ଥଭବନ, ତାଳବଣିଆ, ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ ଏବଂ ରେଳଷ୍ଟେସନଠାରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ।

ଅଧିକରୁ ଅଧିକ ସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ପାଇଁ ଉଭୟ ସ୍ଥାନୀୟ ଏବଂ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ, ଲାଇଭ କମନ ଫିଡ୍ ବ୍ୟବସ୍ଥା, ବିଶିଷ୍ଟ ଅତିଥିମାନଙ୍କ ସତ୍କାର ପାଇଁ ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯିବ। ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ସୂଚନା କେନ୍ଦ୍ରଗୁଡ଼ିକରେ ଉଚ୍ଚ ମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପାଲା, ଦାସକାଠିଆ, ଘୋଡାନାଚ ଭଳି ପାରମ୍ପରିକ ଲୋକକଳାର ପ୍ରଦର୍ଶନ ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବ । ଟେଲିଭିଜନ ଓ ଫଟୋ କଭରେଜ, ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହିତ କଟକ-ପୁରୀ ଜାତୀୟ ରାଜପଥର ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଥଯାତ୍ରା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ବିବରଣୀ ହୋର୍ଡିଂ ମାଧ୍ୟମରେ ପ୍ରଦର୍ଶିତ ହେବ । ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରଥଯାତ୍ରା ଅବସରରେ ପୁରୀଠାରେ ଜଗନ୍ନାଥ ସଂସ୍କୃତି ଓ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ ଏବଂ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ସୂଚନା କେନ୍ଦ୍ର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରି ଏହାକୁ ସଫଳ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଗୁରବୀର ସିଂହ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, କ୍ଷେତ୍ର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପୁରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande