ଗ୍ରେଟର ନୋଏଡା, 8 ଜୁନ୍ (ହି.ସ.)
- ଉତ୍ତର ପ୍ରଦେଶକୁ ଉଦ୍ୟମ ପ୍ରଦେଶ ଭାବରେ ନିର୍ମାଣ କରିବା
ଦିଗରେ ଯୋଗୀ ସରକାର ଦ୍ରୁତ ଗତିରେ ରାଜ୍ୟକୁ ଏକ ଟ୍ରିଲିଅନ୍ ଡଲାରର ଅର୍ଥନୀତି କରିବା ଦିଗରେ ଆଗକୁ
ବଢୁଛନ୍ତି । ରାଜ୍ୟର ଏହି ଉନ୍ନତିରେ ଭାରୀ ଶିଳ୍ପଗୁଡ଼ିକର ଯେପରି ଭୂମିକା ଅଛି,
ସେପରି
ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟମଶିଳ୍ପ ମଧ୍ୟ ବଡ଼ ଭୂମିକା
ନିଭାଉଛି। ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ରାଜ୍ୟରେ ଏମଏସଏମଇ ଉଦ୍ୟମଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଆଧୁନିକ ଢାଞ୍ଚାଗତ ବିକାଶ ଉପରେ
ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ବର୍ତ୍ତମାନ ଯମୁନା ଏକ୍ସପ୍ରେସୱେ ଔଦ୍ୟୋଗିକ
ବିକାଶ ପ୍ରାଧିକରଣ ମଧ୍ୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।
ରବିବାର ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥଙ୍କର ଦିଶାନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏକ କାର୍ଯ୍ୟଯୋଜନା ତିଆରି କରାଯାଇଛି। ଏହି
ଯୋଜନା ଅନୁଯାୟୀ, ଗୌତମବୁଦ୍ଧ ନଗରର ଗ୍ରେଟର ନୋଏଡାର ସେକ୍ଟର ୨୮ ରେ ଏକ ଆଧୁନିକ
ଫ୍ଲ୍ୟାଟେଡ଼୍ ଫ୍ୟାକ୍ଟରୀ ତିଆରି ହେବ। ଏହି ଫ୍ଲ୍ୟାଟେଡ଼୍ ଫ୍ୟାକ୍ଟରୀ କମ୍ପ୍ଲେକ୍ସ ନିର୍ମାଣ
ସହିତ ସଂପୃକ୍ତ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓ ବର୍ତ୍ତମାନ ମାଷ୍ଟର ପ୍ଲାନ୍ ଓ
ଅନ୍ୟାନ୍ୟ ରିପୋର୍ଟ୍ ତିଆରି କାମ ଚାଲିଛି। ପ୍ରକ୍ରିୟା ଅନୁସାରେ,
ପ୍ରାୟ
୧୨୫ କୋଟି ଟଙ୍କା ବ୍ୟୟରେ ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ
ନିର୍ଦ୍ଧାରିତ ହୋଇଛି। ଏଠାରେ ମୋଟ ୩୮,୬୬୫ ବର୍ଗ ମିଟର ଅଞ୍ଚଳ କ୍ଷେତ୍ରଫଳରେ
ବେସମେଣ୍ଟ୍ ଓ ଗ୍ରାଉଣ୍ଡ ଫ୍ଲୋର ସହିତ ତିନି ମହଲା ଉଚ୍ଚ କମ୍ପ୍ଲେକ୍ସ ତିଆରି ହେବ,
ଯାହାକୁ
୨୪ ଓ ୩୦ ମିଟର ଚଉଡା ସଂଯୋଗ ମାର୍ଗ ମାଧ୍ୟମରେ ହାଇୱେ ସହିତ ଯୋଡ଼ାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା