ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.) ତିନି ଦଶନ୍ଧି ପୂର୍ବେ, ପିଲାମାନଙ୍କ ପାଇଁ କ୍ରୀଡା ଏକ ଆନନ୍ଦଦାୟକ ଅବସର ଥିଲା, ଯାହା ସ୍କୁଲ ଏବଂ ହୋମଓ୍ବର୍କ ମଧ୍ୟରେ ଏକ ସୁଖଦ ଅନୁଭୂତି ଭାବେ ରହିଥିଲା। ପିଲାମାନେ ଘର ପାଖ ପଡ଼ିଆରେ କ୍ରିକେଟ୍ କିମ୍ବା ଫୁଟବଲ୍ ଖେଳୁଥିଲେ ଓ ନିଜର ଷ୍ଟାରମାନଙ୍କୁ ଅନୁକରଣ କରିବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ କେବେବି କ୍ରୀଡାକୁ ଏକ ସଫଳ କ୍ୟାରିଅର୍ ଭାବରେ ବିଚାର କରୁନଥିଲେ। ସେତେବେଳେ, ସୀମିତ କ୍ରୀଡା ଭିତ୍ତିଭୂମି ଏବଂ ଆଥଲେଟିକ୍ସ ଅପେକ୍ଷା ଶିକ୍ଷାକୁ ପ୍ରାଥମିକତା ଦେଉଥିବା ସମାଜ ଯୋଗୁଁ, କ୍ରୀଡାକୁ କେବଳ ଏକ ହବି ଭାବରେ ଦେଖାଯାଉଥିଲା।
ପୂର୍ବରୁ ଭାରତରେ କ୍ରୀଡା ପ୍ରତି ଆନୁଷ୍ଠାନିକ ପ୍ରେତ୍ସାହନର ଅଭାବ ଥିଲା, ସରକାରୀ ପ୍ରେତ୍ସାହନ କମ ଥିଲା ଏବଂ ସମାଜ ଆଥଲେଟିକ୍ସ ଅପେକ୍ଷା ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲା। ସୀମିତ କ୍ୟାରିଅର୍ ସମ୍ଭାବନା ଯୋଗୁଁ, କ୍ରୀଡା ଏବଂ ଶାରୀରିକ ଶିକ୍ଷାକୁ ପ୍ରାୟତଃ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ବା ପାଠ୍ୟ ଅତିରିକ୍ତ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଥିଲା। ତଥାପି, ସମୟ ସହିତ, ସହାୟକ ସରକାରୀ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ, ତୃଣମୂଳ ସ୍ତରରେ ତାଲିମ, ଛାତ୍ରବୃତ୍ତି ଏବଂ ଭିତ୍ତିଭୂମି ପ୍ରଦାନ କରି, ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଓ କ୍ରୀଡାକୁ ଏକ ସଂଗଠିତ କ୍ଷେତ୍ର କରାଯାଇପାରିଛି। ଏହି ପ୍ରୟାସଗୁଡ଼ିକର ପରିଣାମ ସ୍ୱରୂପ ୨୦୨୫ ମସିହାରେ ଐତିହାସିକ ଖେଲୋ ଇଣ୍ଡିଆ ନୀତି ସୃଷ୍ଟି ହୋଇଥିଲା। ଖେଲୋ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ହୋଇଛି, ଯାହା ଯୁବ କ୍ରୀଡାବିତମାନଙ୍କୁ ଜାତୀୟ ଯୁବ ଲିଗ୍, ଉନ୍ନତ ତାଲିମ ସୁବିଧା ଏବଂ ଛାତ୍ରବୃତ୍ତି ପ୍ରଦାନ କରୁଛି। ଏହି ପ୍ରୟାସଗୁଡ଼ିକ ଖେଳ ସମ୍ପର୍କରେ ପୂର୍ବରୁ ପ୍ରଚଳିତ ଧାରଣାକୁ ବଦଳାଇଛି, ପ୍ରୋତ୍ସାହନର ସଂସ୍କୃତିକୁ ପ୍ରୋତ୍ସାହିତ କରିଛି ଏବଂ ଭିତ୍ତିଭୂମି, ପ୍ରଶିକ୍ଷଣ ଏବଂ କ୍ୟାରିଅର ସୁଯୋଗ ଆଣିଛି, ଯାହା ଫଳରେ ଅନେକ ଯୁବକଯୁବତୀ ଗର୍ବ, ମହତ୍ୱାକାଂକ୍ଷା ଓ ପେସାଦାର ଭାବନା ସହ କ୍ରୀଡ଼ାକୁ ଗ୍ରହଣ କରୁଛନ୍ତି।
ଖେଲୋ ଇଣ୍ଡିଆ ନୀତି - ୨୦୨୫ ହେଉଛି ଦେଶର କ୍ରୀଡ଼ା ଦୃଶ୍ୟପଟକୁ ପରିବର୍ତ୍ତନ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏକ ଐତିହାସିକ ପଦକ୍ଷେପ। ଏହି ନୀତି ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଏ, ଯେଉଁଥିରେ ପ୍ରାରମ୍ଭିକ ପ୍ରତିଭା ଚିହ୍ନଟ ଏବଂ ପରାମର୍ଶ, ପ୍ରତିଯୋଗିତାମୂଳକ ଲିଗ୍ ଏବଂ ଇଭେଣ୍ଟଗୁଡ଼ିକର ପ୍ରୋତ୍ସାହନ ଏବଂ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଭିତ୍ତିଭୂମି ବିକାଶ ଅନ୍ତର୍ଭୁକ୍ତ। ଏହା ଏନଏସଏଫ ଗୁଡ଼ିକର କ୍ଷମତା ଏବଂ କାର୍ଯ୍ୟକୁ ବୃଦ୍ଧି କରିବା ସହିତ ତାଲିମ, ପ୍ରଶିକ୍ଷଣ ଏବଂ ସାମଗ୍ରିକ କ୍ରୀଡ଼ାବିତ୍ ସମର୍ଥନ ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ନିର୍ମାଣ କରିବା ଲକ୍ଷ୍ୟ ରଖିଛି।
ବର୍ତ୍ତମାନର କ୍ରୀଡ଼ା ବ୍ୟବସ୍ଥାର ରୂପାନ୍ତରଣ ଏହି ନୀତିର ମୂଳ ଲକ୍ଷ୍ୟ..
ଏହି ନୀତିର ଲକ୍ଷ୍ୟ ହେଉଛି ଏକ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ରାଷ୍ଟ୍ର ନିର୍ମାଣ, ଆର୍ଥିକ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତି ପାଇଁ କ୍ରୀଡାକୁ ବ୍ୟବହାର କରିବା । ଏହାର ଆଉ ଏକ ଲକ୍ଷ୍ୟ ହେଉଛି ଉତ୍କର୍ଷତା ହାସଲ କରିବା ଏବଂ ସମ୍ଭବତଃ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଏକ ରଣନୈତିକ ଯୋଜନା ସହିତ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ଶକ୍ତିଶାଳୀ ଭାବରେ ପ୍ରତିଷ୍ଠା କରିବା। ଏହି ନୀତି ପ୍ରାରମ୍ଭିକ ସ୍ତରରୁ ପ୍ରତିଭା ଚିହ୍ନଟକୁ ଗୁରୁତ୍ବ ଦିଏ । ଏହା ମଧ୍ୟ ସଂପୂର୍ଣ୍ଣ କ୍ରୀଡାବିତ ସମର୍ଥନ ଏବଂ କ୍ରୀଡା ବିଜ୍ଞାନ, ଔଷଧ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ପ୍ରୋତ୍ସାହିତ କରେ, ଯାହାକି ଆନ୍ତର୍ଜାତୀୟ ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଜରୁରୀ। ଏହା ମଧ୍ୟ କ୍ରୀଡା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି, ଆନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକୁ ଆକର୍ଷିତ କରି ଏବଂ କ୍ରୀଡା ଷ୍ଟାର୍ଟଅପ୍ଗୁଡ଼ିକୁ ସମର୍ଥନ କରି କ୍ରୀଡାକୁ ଏକ ପ୍ରମୁଖ ଅର୍ଥନୈତିକ ବାହକ ଭାବରେ ହାଇଲାଇଟ୍ କରେ। ଅନ୍ୟପକ୍ଷରେ ଏହି ନୀତି ସରକାରୀ-ବେସରକାରୀ ସହଭାଗୀତା (ପିପିପି), କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଏବଂ ସୃଜନଶୀଳ ଆର୍ଥିକ ପଦ୍ଧତି ମାଧ୍ୟମରେ ଘରୋଇ କ୍ଷେତ୍ର ନିବେଶକୁ ପ୍ରୋତ୍ସାହିତ କରେ, ଏକ ସ୍ଥାୟୀ କ୍ରୀଡା ଶିଳ୍ପ ଇକୋସିଷ୍ଟମ ପାଇଁ ମୂଳଦୁଆ ସ୍ଥାପନ କରେ। ଏହି ନୀତି ମହିଳା, ପଛୁଆ ଗୋଷ୍ଠୀ, ଜନଜାତି ସମ୍ପ୍ରଦାୟ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ ଏବଂ କ୍ରୀଡା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ସ୍କୁଲ ପାଠ୍ୟକ୍ରମରେ କ୍ରୀଡାକୁ ଅନ୍ତର୍ଭୁକ୍ତ କରିଛି, ଶାରୀରିକ ଶିକ୍ଷାକୁ ତାଲିମ ଏବଂ ପ୍ରୋତ୍ସାହନ ସହିତ ଏବଂ ଜୀବନବ୍ୟାପୀ ଫିଟନେସ୍ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି।
ଭାରତରେ ୬୫% ଜନସଂଖ୍ୟା ୩୫ ବର୍ଷରୁ କମ୍ ବୟସର ଅଛନ୍ତି, ଯାହାକି ବିଶ୍ୱର ସବୁଠାରୁ ବଡ଼ ଯୁବ ଜନସଂଖ୍ୟା। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ, ସରକାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟକୁ ରେକର୍ଡ ୩,୭୯୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି - ଯାହା ୨୦୧୪-୧୫ ଆର୍ଥିକ ବର୍ଷ ତୁଳନାରେ ୧୩୦.୯% ଅଧିକ। ଏଥିମଧ୍ୟରୁ ୨,୧୯୧ କୋଟି ଟଙ୍କା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ପାଇଁ ଉଦ୍ଦିଷ୍ଟ, ଯେତେବେଳେ ୧,୦୦୦ କୋଟି ଟଙ୍କା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ଆବଣ୍ଟିତ ହୋଇଛି, ଯାହା ଭାରତର କ୍ରୀଡା ଭବିଷ୍ୟତ ଗଠନ ଉପରେ ସରକାରଙ୍କ ବିଶେଷ ଧ୍ୟାନକୁ ରେଖାଙ୍କିତ କରେ। ଗତ କିଛି ବର୍ଷ ମଧ୍ୟରେ, ଭାରତ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।
ଭାରତର ଉଲ୍ଲେଖନୀୟ କ୍ରୀଡ଼ା ସଫଳତା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଦୃଢ଼ ପଦକ୍ଷେପର ସିଧାସଳଖ ଫଳାଫଳ, ଯେଉଁଥିରେ ଖେଲୋ ଇଣ୍ଡିଆ, ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠି ଏବଂ ଲକ୍ଷ୍ୟଯୁକ୍ତ ପୁରସ୍କାର ଭଳି ଯୋଜନା ଅନ୍ତର୍ଭୁକ୍ତ, ଯାହା ଖେଳାଳି ବିକାଶ ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରେ। ଉଦାହରଣ ସ୍ୱରୂପ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ମଧ୍ୟରୁ ଗୋଟିଏ ଖେଲୋ ଇଣ୍ଡିଆର ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ୧୦୦୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ରହିଛି।
୨୦୧୬-୧୭ରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସାରା ଭାରତରେ ଗଣ ଅଂଶଗ୍ରହଣ ଏବଂ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରେ, ଯାହାକୁ ୨୦୨୧ରେ ୩,୭୯୦.୫୦ କୋଟି ଟଙ୍କାର ବଜେଟ୍ ସହିତ ସଂପ୍ରସାରଣ କରାଯାଇଛି।
ଏହି କାର୍ଯ୍ୟକ୍ରମ ଅଧିନରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା (କେଆଇଓ୍ବାଇଜି), ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି), ଖେଲୋ ଇଣ୍ଡିଆ ପାରା ଗେମ୍ସ ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା (କେଆଇଡବ୍ଲୁଜି) ଭଳି ବାର୍ଷିକ ଇଭେଣ୍ଟ ଅନ୍ତର୍ଭୁକ୍ତ, ଯେଉଁଥିରେ ୧୭ ଟି ଇଭେଣ୍ଟରେ ୫୦,୦୦୦ ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ୨୦୧୮ ରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସହିତ ସହଯୋଗରେ ୨୦୧୯ ରେ କେଆଇଓ୍ବାଇଜିରେ ପରିବର୍ତ୍ତିତ ହୋଇଥିଲା। ୨୦୨୩ ଏବଂ ୨୦୨୫ ପାରା ଗେମ୍ସରେ ୧,୩୦୦ ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।
ଖେଲୋ ଇଣ୍ଡିଆ ଉଦୀୟମାନ ପ୍ରତିଭା ଚିହ୍ନଟ (କିର୍ତ୍ତି) କାର୍ଯ୍ୟକ୍ରମ ୯-୧୮ ବର୍ଷ ବୟସର ପିଲାମାନଙ୍କୁ ଲକ୍ଷ୍ୟ କରି ଦକ୍ଷତା-ଭିତ୍ତିକ ପ୍ରତିଭା ସନ୍ଧାନ ପାଇଁ ୧୭୪ ପ୍ରତିଭା ମୂଲ୍ୟାଙ୍କନ କେନ୍ଦ୍ର ବ୍ୟବହାର କରିଥାଏ। କିର୍ତ୍ତି ୨୦୩୬ ସୁଦ୍ଧା ଭାରତକୁ ଶ୍ରେଷ୍ଠ ୧୦ କ୍ରୀଡା ରାଷ୍ଟ୍ର ମଧ୍ୟରେ ଏବଂ ୨୦୪୭ ସୁଦ୍ଧା ଶ୍ରେଷ୍ଠ ୫ ରାଷ୍ଟ୍ର ମଧ୍ୟରେ ସ୍ଥାନିତ କରିବା ପାଇଁ ଖେଳାଳିମାନଙ୍କର ଏକ ବିଶୀଳ ଗୋଷ୍ଠୀ ବିକଶିତ କରିବାର ଲକ୍ଷ୍ୟ ରଖିଛି। ଏହା ସହିତ, ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବ ଅଗଷ୍ଟ ୨୧-୨୩, ୨୦୨୫ରେ ଶ୍ରୀନଗରର ଡାଲ ହ୍ରଦରେ ଅନୁଷ୍ଠିତ ହେବ, ଯେଉଁଥିରେ ପାଞ୍ଚଟି କ୍ରୀଡା ଏବଂ ସାରା ଭାରତରୁ ୪୦୦ ରୁ ଅଧିକ ଖେଳାଳି ସାମିଲ ହେବେ। ୨୦୨୫ ର ପଞ୍ଚମ ଖେଲୋ ଇଣ୍ଡିଆ ଇଭେଣ୍ଟ ଭାବରେ, ଏହା କ୍ରୀଡ଼ା ଅଂଶଗ୍ରହଣକୁ ବ୍ୟାପକ କରିବା, ଉଦୀୟମାନ ପ୍ରତିଭାଙ୍କୁ ପରାମର୍ଶ ଦେବା ଏବଂ ସମର୍ଥନ କରିବା ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ଉପରେ ନଜର ରଖି ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଜଳ କ୍ରୀଡା ସୁବିଧାଗୁଡ଼ିକୁ ବ୍ୟବହାର କରିବା ଲକ୍ଷ୍ୟ ରଖିଛି।
କ୍ରୀଡା ଯୋଜନା ଏବଂ ପଦକ୍ଷେପ କିପରି ଜୀବନକୁ ପ୍ରଭାବିତ କରିଛି ତାହାର କିଛି ଆଶ୍ଚର୍ଯ୍ୟଜନକ ସଫଳତା କାହାଣୀ ବେଶ ପ୍ରେରଣାଦାୟକ, ଯାହା ଦର୍ଶାଉଛି ଯେ କିପରି କ୍ରୀଡା, ଏବଂ ବିଶେଷକରି ସରକାରୀ ଯୋଜନା ଏବଂ ସମର୍ଥନ, ପ୍ରତିଭାମାନଙ୍କୁ ମାର୍ଗଦର୍ଶନ ଏବଂ ସମର୍ଥନ କରିଛି ଏବଂ ବ୍ୟକ୍ତିମାନଙ୍କୁ ଭାରତ ପାଇଁ ଗୌରବ ଆଣିବାରେ ସକ୍ଷମ କରିଛି । ନିକଟରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହିତ ଏକ ଟେଲିଫୋନ୍-ସାକ୍ଷାତକାରରେ, ନୂଆଦିଲ୍ଲୀର ପାରା-ଆଥଲେଟ୍ ରୋହିତ କୁମାର ପଦକ ବିଜେତା ସମସ୍ତ ପ୍ରକାରର କ୍ରୀଡାବିତଙ୍କୁ ସମାନ ଆର୍ଥିକ ପୁରସ୍କାର ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।
ଖେଲୋ ଇଣ୍ଡିଆ ନୀତି ୨୦୨୫ ଏକ ଆଶାର କିରଣ ଭାବରେ ଉଭା ହୋଇଛି ଯାହା ପ୍ରତିଭାମାନକୁ ମାର୍ଗଦର୍ଶନ ଏବଂ ସମର୍ଥନ କରି ଏବଂ ସମସ୍ତ ସ୍ତରରେ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରି ଭାରତର କ୍ରୀଡା ପ୍ରେକ୍ଷାପଟ୍ଟରେ ବିପ୍ଳବ ଆଣିଛି। ଦୃଢ଼ ସରକାରୀ ସମର୍ଥନ ଏବଂ ଖେଲୋ ଇଣ୍ଡିଆ ଭଳି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ, ଏହା ଅଗଣିତ କ୍ରୀଡାବିତଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇବା ଏବଂ ଦେଶ ପାଇଁ ଗୌରବ ଆଣିବା ପାଇଁ ପଥ ପ୍ରଶସ୍ତ କରିଛି। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଆଡକୁ ଅଗ୍ରସର ହେଉଥିବା ବେଳେ, ଏହି ପଦକ୍ଷେପ ଏକ କ୍ରୀଡା ମହାଶକ୍ତି ଭାବରେ ଦେଶର ଗୌରବକୁ ନିଶ୍ଚିତ କରିବ ।
ହିନ୍ଦୁସ୍ଥାନ ସମାଚାର / ଅନିଲ