ଭଦ୍ରକ, ୨୧ ଜୁଲାଇ (ହି.ସ.) - ଶ୍ରାବଣମାସର ୨ୟ ସୋମବାରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆଙ୍କ ଭକ୍ତ। ଗତ ରବିବାର ମଧ୍ୟାହ୍ନରୁ କାଉଡିଆଭକ୍ତମାନେ ଧାଡିରେ ଯାଇ ବାବାଙ୍କ ଚଳନ୍ତି ପ୍ରତିମା ଶ୍ରାବଣୀ ମହାଦେବଙ୍କ ଉପରେ ଜଳଲାଗି କରିଥିଲେ। ଏପରିକି କାଉଡିଆଙ୍କ ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ହୋଇ ଉଠିଥିଲା ସମଗ୍ର ଆରଡିପୀଠ। ଲକ୍ଷାଧିକ କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଏପଟେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅଧିକ ସଂଖ୍ୟକ କାଉଡିଆଭକ୍ତଙ୍କ ସମାଗମ ହୋଇଥିବାରୁ ଜଳାଲାଗି ସମୟରେ ଦୀର୍ଘଘଂଟା ଧରି ଠେଲାପେଲା ଲାଗି ରହିଥିଲା। ଅନ୍ୟପଟେ ରବିବାର ରାତିରୁ ଭଦ୍ରକପ ଆଖଣ୍ଡଳମଣି ରାସ୍ତାରେ ଟ୍ରାଫିକ ଜାମ ଯୋଗୁ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା। ଫଳରେ କାଉଡିଆଭକ୍ତ ନାନା ଅସୁବିଧାରେ ସମୁଖିନ୍ନ ହୋଇଥିଲେ। ସେହିପରି ପୀଠର ପ୍ରବେଶପଥ ପାନ୍ଥନିବାସ ଠାରୁ ମେଡିକାଲ ଛକ ଓ ତିହିଡିପଆରଡି ରାସ୍ତାର ଗୁଡିଆସାହି ଗଳି ଆଦି ଅନେକ ରାସ୍ତା ଅନ୍ଧକାର ହୋଇଥିବାରୁ କାଉଡିଆ ନାନା ଅସୁବିଧାର ସମୁଖିନ ହୋଇଥିବା ବେଳେ ଖାଲଖମା ରାସ୍ତା ମରାମତି କରାଯାଇନଥିବାରୁ ବହୁ ଅସୁବିଧାରେ ଚାଲିଚାଲି ଆସିଥିଲେ କାଉଡ଼ିଆ ଭକ୍ତ। ଖାଲଖମା ରାସ୍ତା ସାଙ୍ଗକୁ ଅନ୍ଧାର ରାସ୍ତାରେ ସରିସୃପ ଭୟ ଘାରିଥିଲା ଭକ୍ତଙ୍କୁ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ