କେନ୍ଦୁଝର, ୨୧ ଜୁଲାଇ (ହି.ସ.)- ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଯେଭଳି ଭାବେ ଲୋକସଭାରେ ହଟ୍ଟଗୋଳ କରି ଗୃହ କାର୍ଯ୍ୟକୁ ବାରମ୍ବାର ବନ୍ଦ କରାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପିର କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଶ୍ରୀ ନାୟକ ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ଶ୍ରୀ ନାୟକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଓ ଏନଡିଏ ସରକାର ବାରମ୍ବାର ସ୍ପଷ୍ଟ କରି ସାରିଛନ୍ତି ଯେ, ବିରୋଧୀ ଦଳ ପକ୍ଷରୁ ଅପରେସନ ସିନ୍ଦୁର, ପହଲଗାମ ଆତଙ୍କବାଦୀ ଆକ୍ରମଣ କିମ୍ବା ଅନ୍ୟ ଯେକୌଣସି ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିବା ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି । ହେଲେ ସଂସଦ ସଂସଦୀୟ ବିଧିବ୍ୟବସ୍ଥା ଅନୁସାରେ ହିଁ ଚାଲିବ, ବିରୋଧୀ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ କଥା ଅନୁଯାୟୀ ଚାଲିବ ନାହିଁ । ତେଣୁ ବିରୋଧୀ କଂଗ୍ରେସ ଦଳ ଏହି କଥାକୁ ଭଲ ଭାବେ ବୁଝିବା ଉଚିତ ଯେ ସଂସଦର ବିଧି ବ୍ୟବସ୍ଥା ଅନୁସାରେ ଆଲୋଚନା ଓ ପ୍ରଶ୍ନର ଉତ୍ତର ଦେବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ତେଣୁ କଂଗ୍ରେସ ଲୋକ ମାନଙ୍କର ସହ ଜଡିତ ବିଷୟ ଗୁଡିକର ଆଲୋଚନା ପାଇଁ ଉଦ୍ଦିଷ୍ଟ ଗୃହର ମୂଲ୍ୟବାନ ସମୟକୁ ହଟ୍ଟଗୋଳ କରି ନଷ୍ଟ କରନ୍ତୁ ନାହିଁ । ସଂସଦର ବିଧିବ୍ୟବସ୍ଥା, ଆଇନ କାନୁନ ଅନୁସାରେ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆଗକୁ ଆସୁ ବୋଲି ସେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA