ପୁରୀ, ୨୧ ଜୁଲାଇ (ହି.ସ.)- ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଂଚଳରେ ୧୬ ବର୍ଷିୟା ନାବାଳିକାଙ୍କୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇନେଇ ନଦୀପଠାରେ ଜୀବନ୍ତ ଜାଳି ମାରିଦେବାକୁ ଉଦ୍ୟମ ଘଟଣାର ତଦନ୍ତ ପାଇଁ ଆଜି ବଳଙ୍ଗା ଥାନାରେ ପହଂଚିଛି କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଂଚର ଏହି ୫ ଜଣିଆ ସ୍ୱତନ୍ତ୍ର ଟିମ୍ ବଳଙ୍ଗା ଥାନାରେ ପହଂଚି ପୋଲିସ ଅଧିକାରୀମାନଙ୍କ ଠାରୁ ତଦନ୍ତର ଦିଗ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାପରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଛାନଭିନ୍ କରିଛନ୍ତି । ଏଥିସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏପଟେ ବଳଙ୍ଗା ଅଂଚଳର ୩ଟି ପୃଥକ୍ ପୃଥକ୍ ସ୍ଥାନରେ ତଦନ୍ତ ଚଳାଇଛି ପୋଲିସର ୩ଟି ସ୍ୱତନ୍ତ୍ର ଟିମ୍ । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଂଚି ତଦନ୍ତ ଚଳାଇଛି । ଦୁଇ ସାଙ୍ଗଙ୍କ ଘରେ ସ୍ପେଶାଲ ଟିମ୍ ତଦନ୍ତ କରୁଛି । ଅନ୍ୟ ଟିମ୍ ଟି ଗାଁର ବିଭିନ୍ନ ଘରେ କରୁଛି ପଚରାଉଚରା । ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦି କେଉଁଠୁ ଆସିଲା ସେ ସମ୍ପର୍କରେ ଛାନଭିନ୍ କରୁଛି ପୋଲିସ । ଏନେଇ ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରାଯାଇଛି ।
ପ୍ରକାଶ ଥାଉକି, ଗତ ୧୯ ତାରିଖ ସକାଳେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଥିଲେ ତିନି ଦୁର୍ବୃତ । ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟି ଜଳନ୍ତା ଅବସ୍ଥାରେ ଜୀବନ ବଂଚାଇବାକୁ ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ସମ୍ପ୍ରତି ଦିଲ୍ଲୀ ଏମ୍ସରେ ସଙ୍କଟାପନ୍ନ ଅବସ୍ଥାରେ ପୀଡ଼ିତା ଚିକିତ୍ସାଧିନ ଅଛନ୍ତି । ବର୍ଣ୍ଣସ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବର୍ଣ୍ଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ପୀଡିତା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ।
ଘଟଣା ଦିନ ନାବାଳିକାଙ୍କୁ ଯେଉଁ ସ୍ଥାନରେ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଥିଲା, ସେଠାରୁ ମିଳିଥିଲା ଏକ ରୁପା ମୁଦି । ଘଟଣାକୁ ୩ ଦିନ ହେଲାଣି । ବର୍ତମାନ ସୁଦ୍ଧା ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରଉଚରା କରିସାରିଲାଣି ପୋଲିସ । କିନ୍ତୁ, ଏଯାଏଁ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କ ନିକଟରେ ପହଂଚିପାରିନି ପୋଲିସ । ପୋଲିସ ପକ୍ଷରୁ ତଦନ୍ତକୁ ଅଧିକ ଜୋରଦାର୍ କରାଯାଇଛି । ତେବେ ଘଟଣା ଦିନ କେଉଁଠୁ ଆସିଥିଲେ ୩ ଜଣ ଦୁର୍ବୃତ । ଘଟଣା ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ ଓ କ୍ରାଇମବ୍ରାଂଚର ସ୍ପେଶାଲ୍ ଟିମ୍ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ