ଚମ୍ପୁଆ,, 21 ଜୁଲାଇ (ହି.ସ.) ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ କାଉଡିଆ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାଉରକେଲା ସେକ୍ଟର ୨ ରୁ ୧୦ ଜଣ କାଉଡ଼ିଆ (ଶିବ ଭକ୍ତ) ଜଳାଭିଷେକ ପାଇଁ ମୂର୍ଗା ମହାଦେବ ଙ୍କ ମନ୍ଦିରକୁ ଜଳଲାଗି କରିବାକୁ ଆସିଥିଲେ । ଭୋରରୁ ମନ୍ଦିର ଖୋଲା ହେବା ପରେ ଜଳାଭିଷେକ କରି ସେଠାରୁ ଘଟଗାଁ ତାରିଣୀ ଦର୍ଶନ ନିମନ୍ତେ ଏକ ପିକଅପ ଗାଡିରେ ଯାଉଥିବା ବେଳେ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆ ବାହାଳ ନିକଟରେ ଏକ ଲୁହାପଥର ବୋଝେଇ ଅଜଣା ଟ୍ରକ ପିକଅପ ଗାଡ଼ି ଟିକୁ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ କାଉଡିଆ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ କାଉଡିଆ ଗୁରୁତର ଆହତ ହୋଇଥିଲେ । ମୃତ କାଉଡିଆ ଜଣଙ୍କ ରାଉରକେଲା ସେକ୍ଟର ୨ ର ସୁଧା ଲାଖୁଆଙ୍କ ପୁଅ ସଞ୍ଜିତ ଲାଖୁିଆ (୧୯) । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ପଠାଇବା ସହ ମୃତଦେହ ଓ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta