ବାରିପଦା, ୨୧ ଜୁଲାଇ (ହି.ସ.)- ତତ୍ତ୍ଵମସି ପ୍ରକାଶନୀ ଦ୍ବାରା ପ୍ରକାଶିତ ଅବସରପ୍ରାପ୍ତ ପ୍ରାଧ୍ୟାପିକା ମେଘମାଳା ବେହେରାଙ୍କର ଗଳ୍ପ ସଂକଳନ ଶ୍ୟାମଳ ଦିଗନ୍ତ ଲୋକାର୍ପିତ ହୋଇଯାଇଛି । ତତ୍ତ୍ଵମସି ପ୍ରତିଷ୍ଠାନ ଆନୁକୂଲ୍ୟରେ ବାରିପଦା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ପ୍ରତିଷ୍ଠାନର ସଭାପତି ଆଶିଷ କୁମାର ବଶା ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଓଡିଆ ପ୍ରାଧ୍ୟାପିକା ଡ. ପଦ୍ମଶ୍ରୀ ଦାସ, ମୁଖ୍ୟ ବକ୍ତା ଭାବରେ ପ୍ରତିଷ୍ଠାନର ସମ୍ପାଦକ ତଥା ପ୍ରାକ୍ତନ ଅଧ୍ୟକ୍ଷ ରାଜେନ୍ଦ୍ର ସାମଲ, ସମୀକ୍ଷକ ଭାବରେ ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ଡ. ରବୀନ୍ଦ୍ର ଶତପଥୀ, ସମ୍ମାନୀତ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର, ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପିକା ପୂଜ୍ଯା ପ୍ରତିଭା ମିଶ୍ର ଏବଂ ବାରିପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରବୋଧ କୁମାର ଦେ ଯୋଗଦେଇ ପୁସ୍ତକର ଲୋକାର୍ପଣ କରିବା ସହିତ ଗଳ୍ପ ଗୁଡିକ ପାଠକଙ୍କ ମନଛୁଆଁ ହୋଇଛି ବୋଲି ମତ ରଖିଥିଲେ । ପ୍ରତିଷ୍ଠାନର ସହ ସମ୍ପାଦକ ଡ. ପ୍ରଭାତ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପସଭାପତି ତଥା ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସେହିପରି ଡ. ସଂଜୀବ କୁମାର ପାଣିଗ୍ରାହୀ ମଙ୍ଗଳାଚରଣ ପାଠ କରିଥିବା ବେଳେ ଡ. ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ