ଜୟପୁର, ୨୧ ଜୁଲାଇ (ହି.ସ.)- ମାଛ, ମାଂସଠୁ ବଳିଗଲା ପରିବା ଦର। ଦେଶୀ କାଙ୍କଡ଼ କେଜି ପ୍ରତି ୪ଶହ ଟଙ୍କା ଦରରେ ଜୟପୁର ସହରରେ ବିକ୍ରି ହେଉଥିବା ଦେଖାଯାଇଛି । ଲୋକେ ଆଗ୍ରହ କରି ପାଖକୁ ଯାଆନ୍ତି । କିନ୍ତୁ ଦର ଶୁଣି କାନମୁଣ୍ଡ ଆଉଁଶି ଫେରି ଯାଉଥିବା ଦେଖାଯାଇଛି । ତେଣୁ ଦେଶୀ ଛୋଟ କାଙ୍କଡ଼କୁ ପରିବା ବଜାରର ରାଜା ଆଖ୍ୟା ଦିଆଯାଇଛି । ଶ୍ରାବଣ ମାସକ ପାଇଁ ଅଧିକାଂଶ ଲୋକ ଆମିଷ ଖାଦ୍ୟ ବର୍ଜନ କରୁଥିବା ବେଳେ ପରିବା ଦର ଆମିଷଠାରୁ ବଳି ଯାଇଛି । ଆଳୁ, ପିଆଜକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପନିପରିବା ଦାମ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଶ୍ରାବଣ ମାସର ପରିବା ଦର ଆକାଶଛୁଆଁ। ମାସ ଶେଷ ହେବା ବେଳକୁ ସ୍ଥିତି କ'ଣ ହେବ ବୋଲି ଲୋକେ ଚିନ୍ତା ପ୍ରକଟ
କଲେଣି । ବଜାରରେ ୬୦ ଟଙ୍କା କିଲୋରେ ବିକ୍ରି ହେଉଛି ଟମାଟୋ ଓ ଅମୃତଭଣ୍ଡା ଅନ୍ୟ ପରିବା ବନ୍ଧାକୋବି ଗୋଟାକ ୪୦ ଟଙ୍କା, ଗାଜର, ବିଟ ଆଦି କିଲୋ ୫୦ ଟଙ୍କା, ସାରୁ ଓ କାକୁଡ଼ି ୬୦ ଟଙ୍କା, ପୋଟଳ ୫୦ ଟଙ୍କା ଦରରେ ବିକ୍ରି ହୋଇଛି । ବାଇଗଣ, ଭେଣ୍ଡି, କଲରା, ହାଇବ୍ରିତ କାଙ୍କଡ଼, କିଲୋ ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି ହୋଉଛି । ପରିବା ର ଏଭଳି ଆକାଶଛୁଆଁ ଦରକୁ ନେଇ ସାଧାରଣ
ଉପଭୋକ୍ତା ଚିନ୍ତାରେ ପଡ଼ିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି