କେନ୍ଦୁଝର, ୨୧ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଂଟର ଷଷ୍ଠ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ଏକ ତୀବ୍ର ପ୍ରତିଦ୍ୱନ୍ଦିତା ଏବଂ ସଂଘର୍ଷପୂର୍ଣ୍ଣ ଏହି ପ୍ରଥମ ଖେଳରେ ସୁନ୍ଦରଗଡ଼ ଜିଲ୍ଲା ବାଲେଶ୍ୱର ଜିଲ୍ଲା ବିପରାଉରକେଲ୧-୦ ଗୋଲରେ ଏକ କଷ୍ଟଲବ୍ଧ ବିଜୟ ଲାଭ କରି ପୁରା ପଏଂଟ ହାସଲ କରିଛି । ପ୍ରଥମକ୍ଷର୍ଦ୍ଧ ଖେଳ ଆରମ୍ଭ ହେବାର ତୃତୀୟ ମିନିଟରେ ଦୁଇ ଦଳ ପଡିଆ ସହ ଅଭ୍ୟସ୍ତ ହେବା ପୂର୍ବରୁ ସୁନ୍ଦରଗଡ଼ ପ୍ରତିପକ୍ଷ ଗୋଲ ପୋଷ୍ଟ ନିକଟରେ ଗୋଲ ଦେବାର ଏକ ସୁବର୍ଣ୍ଣ ସୁଯୋଗ ପାଇଥିଲା ଏବଂ ସୁନ୍ଦରଗଡ଼ର ଜର୍ସି ନମ୍ବର ୧୩ କରନ କୁଜୁର ଏହାକୁ ହାତଛଡା ନକରି ଦଳ ପକ୍ଷରୁ ଏକ ଚମତ୍କାର ଶଟ ଜରିଆରେ ଏହି ବିଜୟ ସୂଚକ ଗୋଲଟି ଦେଇଥିଲେ । ପରେ ପରେ ବାଲେଶ୍ୱର ଜିଲ୍ଲା ପରସ୍ପର ସହ ବୁଝାମଣା ରକ୍ଷା କରି କେତୋଟି ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେହେଁ ତୃଟିପୂର୍ଣ୍ଣ ସୁଟିଂ ଯୋଗୁଁ ଶେଷ ସ୍ପର୍ଶ ଦେବାରେ ସଫଳ ହୋଇ ପାରିନଥିଲେ ଏବଂ ୧-୦ ଗୋଲରେ ପରାଜୟ ସ୍ୱୀକାର କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ଲିଗ ପର୍ଯ୍ୟାୟରେ ସମୁଦାୟ ୩ଟି ମ୍ୟାଚ ଖେଳି ୩ଟି ବିଜୟ ସହ ସମୁଦାୟ ୯ ପଏଂଟ ହାସଲ କରି 'ଏ' ଗ୍ରୁପ ଲିଗ ଟେବୁଲରେ ଶୀର୍ଷରେ ରହିବା ସହ ଜୋନାଲ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି । ଆସନ୍ତା ୨୩ ତାରିଖ ବୁଧବାର ଦିନ ସୁନ୍ଦରଗଡ଼ ଜୋନାଲ ଫାଇନାଲରେ ରାଉରକେଲାକୁ ଭେଟିବ । ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ବରିଷ୍ଠ ଆଇନଜୀବୀ ତଥା କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସଦସ୍ୟ ଶିବ ନାରାୟଣ ମହାନ୍ତ, ବିଭୁତି ଭୂଷଣ ପ୍ରଧାନ ଏବଂ ବିଶିଷ୍ଠ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡାଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା । ଆଜିର ଏହି ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ଚନ୍ଦ୍ର ରଣା, ଗିରୀଶ ଚନ୍ଦ୍ର ହୋତା, ପ୍ରଶାନ୍ତ ସାହୁ, ବୀରଭଦ୍ର ପରିଡା ଏବଂ ମାର୍କଣ୍ଡ ସାମଲ ପ୍ରମୁଖ ମଂଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ଅନୁଷ୍ଠିତ ପ୍ରଥମ ଖେଳରେ ଆଶୀର୍ବାଦ କାନୁନଗୋ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଶୁଭମ ପାତ୍ର ଓ ଚକ୍ରଧର ଚାଟାର ସହାୟତା କରିଥିଲେ । ଚତୁର୍ଥ ରେଫରୀ ଥିଲେ ସୁବ୍ରତ ପୁରୋହିତ । ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ଆସନ୍ତାକାଲି ବିଶ୍ରାମ ଦିବସରେ ତାରିଣୀ ଫୁଟବଲ ଏକାଡେମୀ ଓ ଜେଏସଡବ୍ଲୁ ଫାଉଣ୍ଡେସନ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA