ଖୋର୍ଦ୍ଧା, ୨୧ ଜୁଲାଇ (ହି.ସ.)- ସ୍ଥାନୀୟ ଗୁରୁଜଙ୍ଗ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସମ୍ଭାଗ ସ୍ତରୀୟ ଚେସ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଭୋପାଲ ସମ୍ଭାଗ ଅନ୍ତର୍ଗତ କଟକ, ଭୋପାଲ, ବିଲାସପୁର, ରାୟପୁର ଓ ଉଜ୍ଜୈନ ଅଞ୍ଚଳର ବିଭିନ୍ନ ନବୋଦୟ ବିଦ୍ୟାଳୟ ଗୁଡିକରୁ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଖେଳ ପ୍ରତିଯୋଗୀତରୁ ୩୦ ଜଣ ଖେଳାଳି ଜାତୀୟ ସ୍ତରରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହେବା ସହିତ କଟକ କ୍ଲସ୍ଟର ବିଜେତା ଓ ବିଲାସପୁର କ୍ଲସ୍ଟର ରନର୍ସ ଅପ ଘୋଷିତ ହୋଇଥିଲେ । ପ୍ରତିଯୋଗିତାର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବରେ ଖୋର୍ଦ୍ଧା ଡି.ଏଫ.ଓ ଲାଡେ ଗଜାନନ ଦୟାନନ୍ଦ, ସମ୍ମାନୀୟ ଅତିଥ୍ ଭାବରେ ଖୋର୍ଦ୍ଧା ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଓ ଜିଲ୍ଲା ବିଜ୍ଞାନ ଜ୍ଞାନ ସୁପରଭାଇଜର ସରୋଜ ସିଂ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହିତ ଖେଳାଳି ମାନଙ୍କୁ ବୁଦ୍ଧିମତା, ଧୈର୍ୟ୍ଯ ଓ କୌଶଳ ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥ୍ ତାଙ୍କ ଉଦ୍ବୋଧନରେ କହିଲେ “ଜୀବନ ହେଉଛି ଗୋଟିଏ ଚେସ ଖେଳ ପରି I ଏଠି ଜିତିବାକୁ କିମ୍ବା ସଫଳତା ଲାଭ କରିବାକୁ, ଆମେ ପୂର୍ବରୁ ଯୋଜନା କରିବା ଅତି ଆବଶ୍ୟକ I ଯେମିତି ଚେସରେ ଗୋଟି ଚଲାଇବା ପୂର୍ବରୁ ଭବିଷ୍ୟତ ଚିନ୍ତା କରିବାକୁ ପଡ଼େ, ସେହିପରି ଜୀବନରେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଭଲଭାବେ ଯୋଜନା ଏବଂ ବିଚାର କରିବା ଦରକାର ।” ଇଂରାଜୀ ଅଧ୍ୟାପକ ଜୟପ୍ରକାଶ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟକ୍ଷା କବିତା କର ସ୍ବାଗତ ଭାଷଣ ଦେଇଥିଲେ ଓ ଉପାଧକ୍ଷ ନୃସିଂହ ଚରଣ ଚକ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।
କ୍ରିଡା ଶିକ୍ଷକ ବୈକୁଣ୍ଠ ବେହେରାଙ୍କ ତତ୍ତ୍ୱାବଧାନରେ ତଥା ଚୟନ ମଣ୍ଡଳୀ, ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମାପନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରାକେଶ