ମାଲକାନଗିରି, ୨୧ ଜୁଲାଇ (ହି.ସ.)-
ମାଲକାନଗିରି ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାର ୧୨୯ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ୫ ଦିନିଆ ତାଲିମ ଶିକ୍ଷଣ ପେଟିକା 'ସମ୍ଭବ ' ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଲିମ ଶିବିରକୁ ଉଦଘାଟନ କରି ପ୍ରଧାନ ଶିକ୍ଷକ ମାନଙ୍କ ନେତୃତ୍ୱରେ ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ l ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ଉଚ୍ଚ ବାଳକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସଏ, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ଶେଷଶଙ୍କର ମହାଳିକ ମଞ୍ଚାସୀନ ଥିଲା ବେଳେ, ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗଣ୍ଡ, ଅଜୟ କୁମାର ନାୟକ, ଦିଲ୍ଲୀପ କୁମାର ସାହୁ ଓ ଦେବରାଜ ସେଠୀ ଉପସ୍ଥିତ ଥିଲେ l
ଏହି ୫ ଦିନିଆ 'ସମ୍ଭବ' ତାଲିମ ଶିବିରର ଏନସିଏଫ ଓ ଏନଇପି - ୨୦୨୦ ର ଉଦ୍ଦେଶ୍ୟ ଓ ଶୈକ୍ଷିକ ଲକ୍ଷ୍ୟ, ମାନ ନିର୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ସାଇବର ସୁରକ୍ଷା, ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକାରଣ, ଧନ୍ଧାମୂଳକ ଶିକ୍ଷା, ଏସ ଡି ଜେ, ଡିଆଇ ଏସ ଇ ଓ ପି ଜି ଇ ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ