ବାରିପଦା, ୨୧ ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ଏହି ବାରିପଦା ସହରରେ ଆତଙ୍କ। ଆଜି ପୂର୍ବାହ୍ନ ୧୧ ଟା ରେ ୨ ଦୁର୍ବୁତ୍ତ ଘରେ ପଶି ଛୁରୀ ଦ୍ଵାରା ମହିଳା ଓ ତାଙ୍କ ଝିଅକୁ ଆକ୍ରମଣ। ଦୁର୍ବୁତ୍ତଙ୍କ ସହିତ ଧସ୍ତାଧସ୍ତି କରି ବର୍ତ୍ତିଲେ ମହିଳା। ବାରିପଦା ପୌର ପରିଷଦର ମୂର୍ଗାବାଡ଼ି ଅଞ୍ଚଳର ସମୀର ସାହୁଙ୍କ ଘରେ ଘଟିଛି ଏହି ଘଟଣା। ସମୀରଙ୍କ ସ୍ତ୍ରୀ ମମତା ସାହୁ ଘରେ ପୂଜା କରୁଥିବା ବେଳେ ହଠାତ କଲିଂ ବେଲ୍ ବାଜିଥିଲା ଏବଂ ମମତା କବାଟ ଖୋଲିବା ପରେ ୨ ଜଣ ଅଚିହ୍ନା ଯୁବକ ଘରେ ଧସେଇ ପଶି ତାଙ୍କ ବେକରେ ଛୁରୀ ଲଗେଇ ଜୀବନରୁ ମାରି ଦେବାର ଧମକ ଦେଇଥିଲେ। ପାଟି ଶୁଣି ତାଙ୍କ ଝିଅ ଆସି ପ୍ରତିରୋଧ କରିବାରୁ ତାଙ୍କ ବେକରେ ମଧ୍ୟ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ ଦୁର୍ବୁତ୍ତ। ତେବେ ମାଆ ଝିଅ ମିଶି ପ୍ରତିରୋଧ କରିବାରୁ ଯୁବକ ଦୁଇ ଜଣ ସେଠାରୁ ପଳାଇ ଯାଇଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ମମତାଙ୍କ ହାତରେ ଅଳ୍ପ ଆଘାତ ଲାଗିଥିଲା । ସେ ସ୍ଥାନୀୟ ପିଆରଏମ ମେଡିକାଲ ଓ ହସ୍ପିଟାଲକୁ ଆସି ନିଜ ଚିକିତ୍ସା କରାଇଛନ୍ତି। ବହୁ କଷ୍ଟରେ ଧସ୍ତାଧସ୍ତି କରି ଦୃର୍ବୁତ୍ତଙ୍କ ହାତରୁ ଛୁରୀ ଛଡାଇ ନେଇ ନିଜକୁ ରକ୍ଷା କରିଥିବା କଥା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା ମମତା।
ପ୍ରକାଶ ଥାଉକି, ମମତା ସାହୁଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ପୋଲିସ ଭ୍ୟାନ ଥାଇ ହେଲମେଟ ଚେକିଙ୍ଗ କରୁଥିବା ସମୟରେ ଏଭଳି ଘଟଣା ଘଟିଯାଇଛି । ଏହିଭଳି ପରିସ୍ଥିତିରେ ତାଙ୍କ ପରିବାର ଅସୁରକ୍ଷିତ ମନେ କରୁଛନ୍ତି ବୋଲି ମମତାଙ୍କ ସ୍ୱାମୀ ସମୀର ସାହୁ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ